ପୋଷା କୁକୁରଙ୍କ ପାଇଁ ପାର୍ଥଙ୍କ ବିଳାସପୂର୍ଣ୍ଣ ଫ୍ଲାଟ୍‌, ଇଡି ତଦନ୍ତରେ ସାମ୍ନାକୁ ଆସିଲା

କୋଲକାତା: ପଶ୍ଚିମବଂଗ ଶିକ୍ଷକ ନିଯୁକ୍ତି ଦୁର୍ନୀତିର ତଦନ୍ତ କରୁଥିବା ଇଡି ଏହି ମାମଲାରେ ଗିରଫ ହୋଇଥିବା ମନ୍ତ୍ରୀ ପାର୍ଥ ଚାଟାର୍ଜୀଙ୍କ ବିଷୟରେ ଅନେକ ଚାଞ୍ଚଲ୍ୟକର ତଥ୍ୟ ଉନ୍ମୋଚନ କରିଛି। ପାର୍ଥ ତାଙ୍କ ପୋଷା କୁକୁରମାନଙ୍କ ପାଇଁ ଡାଇମଣ୍ଡ ସିଟିରେ ଏକ ବିଳାସପୂର୍ଣ୍ଣ ଫ୍ଲାଟ କ୍ରୟ କରିଥିଲେ। ସେଠାରେ ପାର୍ଥଙ୍କ ଘନିଷ୍ଠ ଅର୍ପିତା ମୁଖାର୍ଜୀଙ୍କର ମଧ୍ୟ ଏକ ଫ୍ଲାଟ ଅଛି। ଗତ ଶନିବାର ସେହି ଫ୍ଲାଟ ଉପରେ ଚଢ଼ଉ କରି ଇଡି ୨୧ କୋଟି ନଗଦ ଟଙ୍କା ଏବଂ ୫୦ ଲକ୍ଷ ଟଙ୍କାର ସୁନା ଜବତ କରିଥିଲା।
ଇଡି ଅନୁସନ୍ଧାନ ବେଳେ ଏହି ଫ୍ଲାଟ୍‌ ସଂପର୍କରେ ସବୁ ତଥ୍ୟ ପାଇଥିଲା, ଯେଉଁଠାରେ ପାର୍ଥ ତାଙ୍କ ପୋଷା କୁକୁରମାନଙ୍କୁ ରଖିଥିଲେ। ଫ୍ଲାଟ୍‌ଟି ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ। ସେଠାରେ କୁକୁରମାନଙ୍କ ପାଇଁ ଖାଦ୍ୟ ଏବଂ ପାନୀୟଠାରୁ ଆରମ୍ଭ କରି ସବୁକିଛି ରହିଛି। କୁକୁରଙ୍କ ଯତ୍ନ ନେବା ପାଇଁ ଅନେକ ଲୋକଙ୍କୁ ନିଯୁକ୍ତି ଦିଆଯାଇଛି। କୁକୁରମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ପାଇଁ ଡାକ୍ତର ମଧ୍ୟ ଅଛନ୍ତି। ଏ ସମ୍ପର୍କରେ ପାର୍ଥ କହିଛନ୍ତି ଯେ ତାଙ୍କ ଦିବଂଗତ ପତ୍ନୀ କୁକୁରଙ୍କୁ ବହୁତ ଭଲ ପାଉଥିବାରୁ ସେ ଏଭଳି ସ୍ବତନ୍ତ୍ର ଫ୍ଲାଟ୍‌ ନେଇଥିଲେ।

ସମ୍ବନ୍ଧିତ ଖବର