ନୂଆଦିଲ୍ଲୀ: ଫେବ୍ରୁଆରି ୧୩ରୁ ଆନ୍ଦୋଳନରତ କୃଷକମାନେ ଡେରା ପକାଇଥିବା ଶମ୍ଭୁ ସୀମାକୁ ଆଂଶିକ ଖୋଲିବାକୁ ସୁପ୍ରିମ୍କୋର୍ଟ ସୋମବାର ନିର୍ଦ୍ଦେଶ ଦେଇଛନ୍ତି। ରାଜପଥ ଖୋଲିବା ପାଇଁ ଏକ ସପ୍ତାହ ମଧ୍ୟରେ ନିକଟସ୍ଥ ପଟିଆଲା ଓ ଅମ୍ବାଲା ଜିଲ୍ଲାର ଏସ୍ପିଙ୍କ ସହ ବୈଠକ କରିବାକୁ କୋର୍ଟ ଉଭୟ ପଞ୍ଜାବ ଓ ହରିୟାଣା ସରକାରଙ୍କୁ କହିଛନ୍ତି। ଅଦାଲତ କୃଷକମାନଙ୍କୁ ଟ୍ରାକ୍ଟରଗୁଡ଼ିକୁ ରାସ୍ତାରୁ ହଟାଇବା ପାଇଁ ରାଜି କରାଇବାକୁ ପଞ୍ଜାବ ସରକାରଙ୍କୁ ନିର୍ଦ୍ଦେଶ ଦେବା ସହ କହିଥିଲେ ଯେ ରାଜପଥ ଏକ ପାର୍କିଂ ସ୍ଥଳ ନୁହେଁ। ବିଚାରପତି ସୂର୍ଯ୍ୟକାନ୍ତ ଓ ବିଚାରପତି ଉଜ୍ଜ୍ବଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଆମ୍ବୁଲାନ୍ସ, ଅତ୍ୟାବଶ୍ୟକ ସେବା, ବରିଷ୍ଠ ନାଗରିକ, ମହିଳା, ଛାତ୍ରୀ ଓ ସ୍ଥାନୀୟ ଯାତ୍ରୀଙ୍କ ଯାତାୟାତ ପାଇଁ ଶମ୍ଭୁରେ ଆଂଶିକ ରାସ୍ତା ଖୋଲିବା ଜରୁରୀ। ଆନ୍ଦୋଳନରତ କୃଷକଙ୍କ ସହ ବୈଠକ କରିବା ପାଇଁ ଏକ କମିଟି ଗଠନ ଲାଗି ଅଣରାଜନୈତିକ ନାମ ମନୋନୀତ କରିଥିବାରୁ ଖଣ୍ଡପୀଠ ଦୁଇ ରାଜ୍ୟ ସରକାରଙ୍କୁ ପ୍ରଶଂସା କରିଛନ୍ତି। ଶମ୍ଭୁ ସୀମାରେ ଆନ୍ଦୋଳନରତ କୃଷକଙ୍କ ସହ ଆଲୋଚନା ପାଇଁ ଗଠିତ ହେବାକୁ ଥିବା କମିଟିର ସର୍ତ୍ତାବଳୀ ସମ୍ପର୍କରେ ଏକ ସଂକ୍ଷିପ୍ତ ଆଦେଶ ଦେବେ ବୋଲି ଖଣ୍ଡପୀଠ କହିଛନ୍ତି। କୃଷକଙ୍କ ପାଇଁ ଏକ ସ୍ୱାଧୀନ କମିଟି ଗଠନ କରିବା ଲାଗି କିଛି ନିରପେକ୍ଷ ବ୍ୟକ୍ତିଙ୍କ ନାମ ସୁପାରିସ କରିବାକୁ କହିଛନ୍ତି।
ଶମ୍ଭୁ ସୀମା ଆଂଶିକ ଖୋଲ: ସୁପ୍ରିମ୍କୋର୍ଟ
/sambad/media/post_attachments/wp-content/uploads/2024/06/15supreme-court-of-india.jpg)