ନୂଆଦିଲ୍ଲୀ: ଛତିଶଗଡ଼ ବିଧାନସଭା ନିର୍ବାଚନରେ ଶାସନ କ୍ଷମତାରେ ଥିବା କଂଗ୍ରେସକୁ ହଟାଇ ବିଜେପି ପୁଣି କ୍ଷମତା ଦଖଲ କରିଛି। ତେବେ, ଜଣେ ବିଜେପି ପ୍ରାର୍ଥୀ ନିର୍ବାଚନରେ ହାରିଯିବା ତାଙ୍କର ଜଣେ ସମର୍ଥକଙ୍କୁ ମହଙ୍ଗା ପଡିଛି। ବିଜେପି ପ୍ରାର୍ଥୀ ଜିତିବେ ବୋଲି ବାଜି ଲଗାଇଥିବା ବ୍ୟକ୍ତି ଏବେ ପରିଣତି ପାଇଁ ଚର୍ଚ୍ଚାର ବିଷୟ ପାଲଟିଛନ୍ତି। ବ୍ୟକ୍ତି ଜଣକ ନିଜ ସାଙ୍ଗମାନଙ୍କ ସହ ଏକ ଅଜବ ବାଜି ଲଗାଇଥିବାରୁ ଏପରି ଘଟଣା ଘଟିଛି।
ଛତିଶଗଡର ମହାସମୁନ୍ଦ ଜିଲ୍ଲାର କଲ୍ଲାରୀ ବିଧାନସଭା ଆସନରୁ ନିର୍ବାଚନ ଲଢ଼ୁଥିବା ବିଜେପି ପ୍ରାର୍ଥୀ ଅଲକା ଚନ୍ଦ୍ରାକର ଯଦି ନିର୍ବାଚନରେ ହାରିଯାଆନ୍ତି, ତେବେ ସେ ତାଙ୍କ ମୁଣ୍ଡର ଅଧା ବାଳ ଓ ନିଶ ଅଧା କାଟି ଦେବେ ବୋଲି ଜନୈକ ଇଲେକ୍ଟ୍ରିସିଆନ୍ ଡେରହା ରାମ ଯାଦବ ତାଙ୍କ ସାଙ୍ଗମାନଙ୍କ ସହ ବାଜି ଲଗାଇଥିଲେ।
ରବିବାର ଛତିଶଗଡ଼ ରାଜ୍ୟ ବିଧାନସଭା ନିର୍ବାଚନ ଫଳାଫଳ ପ୍ରକାଶ ପାଇବା ପରେ ଜଣାପଡ଼ିଲା କି ଚନ୍ଦ୍ରାକର ତାଙ୍କର ନିକଟତମ ପ୍ରତିନ୍ଦ୍ବନ୍ଦ୍ବୀ କଂଗ୍ରେସର ଦ୍ୱାରିକାଧିଶ ଯାଦବଙ୍କଠାରୁ ପରାଜିତ ହୋଇଛନ୍ତି। ଫଳରେ ଯାଦବ ତାଙ୍କ ସାଙ୍ଗମାନଙ୍କ ସହ ଲଗାଇଥିବା ବାଜି ହାରି ଯାଇଥିଲେ।
ବାଜି ହାରିଯିବା ପରେ ଡେରହା ରାମ ଯାଦବ ଏକ ସେଲୁନ୍କୁ ଯାଇ ତାଙ୍କ ମୁଣ୍ଡବାଳରୁ ଅଧା ଓ ନିଶରୁ ଅଧା କାଟି ଦେଇ ଚର୍ଚ୍ଚାର ପରିସରକୁ ଆସିଛନ୍ତି।
୯୦ ଆସନ ବିଶିଷ୍ଟ ଛତିଶଗଡ଼ ବିଧାନସଭାରେ ବିଜେପି ୫୪ଟି ଆସନରେ ବିଜୟୀ ହୋଇ କ୍ଷମତାକୁ ଫେରିଥିବା ବେଳେ କଂଗ୍ରେସ ମାତ୍ର ୩୫ଟି ଆସନ ଜିତିବାରେ ସମର୍ଥ ହୋଇଛି।