ରାଜନୀତିର ଅପରାଧୀକରଣକୁ ରୋକିବାକୁ ହେଲେ ‘ଦାଗୀନେତା’ଙ୍କୁ ନିର୍ବାଚନ ଲଢ଼ିବାକୁ ଟିକେଟ ଦିଆ ନ ଯାଉ : ସୁପ୍ରିମ୍‌ କୋର୍ଟଙ୍କୁ କହିଲେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ରାଜନୀତିର ଅପରାଧୀକରଣକୁ ରୋକିବାକୁ ହେଲେ ଅପରାଧିକ ପୃଷ୍ଠଭୂମି ରହିଥିବା ବ୍ୟକ୍ତି ବା ଦାଗୀ ନେତାମାନଙ୍କୁ ନିର୍ବାଚନ ଲଢ଼ିବା ପାଇଁ ରାଜନୈତିକ ଦଳଗୁଡ଼ିକ ଟିକେଟ ଦେବା ଉଚିତ ନୁହେଁ ବୋଲି ଆଜି ନିର୍ବାଚନ କମିସନ ଦେଶର ଶୀର୍ଷ ଅଦାଲତ ସୁପ୍ରିମ୍‌ କୋର୍ଟଙ୍କୁ କହିଛନ୍ତି। ୨୦୧୯ ଲୋକସଭା ନିର୍ବାଚନ ଲଢ଼ିବା ପାଇଁ ସର୍ବମୋଟ ୭,୯୨୮ ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧,୫୦୦ ଜଣ ଅପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀ ଥିଲେ। ତେବେ, ପ୍ରାର୍ଥୀ ପତ୍ର ଯାଞ୍ଚ ଓ ନାକଚ ପରେ ଚୂଡ଼ାନ୍ତ ପର୍ଯ୍ୟାୟରେ ୨୦୧୯ ଲୋକସଭା ନିର୍ବାଚନ ଲଢ଼ିଥିବା ପ୍ରାର୍ଥୀଙ୍କ ମଧ୍ୟରେ ୩୪୨ ଜଣ ଅପରାଧିକ ପୃଷ୍ଠଭୂମି ରହିଥିବା ପ୍ରାର୍ଥୀ ଥିଲେ ବୋଲି କହିଛନ୍ତି ନିର୍ବାଚନ କମିସନ।

News Nation

ଏଥିସହ, ରାଜନୀତିର ଅପରାଧୀକରଣକୁ ରୋକିବାକୁ ନିର୍ବାଚନ କମିଶନ ୨୦୧୮ରେ ଜାରି କରିଥିବା ଏକ ନିର୍ଦ୍ଦେଶନାମାରେ ଅପରାଧିକ ପୃଷ୍ଠଭୂମି ଥାଇ ନିର୍ବାଚନ ଲଢ଼ୁଥିବା ପ୍ରାର୍ଥୀମାନେ ଭୋଟ ଗ୍ରହଣ ପୂର୍ବରୁ ସେମାନଙ୍କ ନାମରେ ରହିଥିବା ସମସ୍ତ ଅପରାଧର ବିଶଦ ବିବରଣୀ ସର୍ବସାଧାରଣଙ୍କ ଅବଗତି ନିମନ୍ତେ ଖବରକାଗଜମାନଙ୍କରେ ବିଜ୍ଞାପନ ଜରିଆରେ ପ୍ରକାଶ କରିବାକୁ ନିର୍ଦ୍ଦେଶ ଦେଇଥିଲେ ବୋଲି ମଧ୍ୟ ସୁପ୍ରିମ୍‌ କୋର୍ଟଙ୍କୁ ଜଣାଇଛନ୍ତି।

News Nation

ନିର୍ବାଚନ କମିଶନଙ୍କ ଠାରୁ ଏପ୍ରକାରର ଉତ୍ତର ପାଇବା ପରେ ସୁପ୍ରିମ୍‌ କୋର୍ଟର ବିଚାରପତି ଜଷ୍ଟିସ୍‌ ଆରଏଫ୍‌ ନରିମାନ ଓ ଜଷ୍ଟିସ ଏସ୍‌ ରବୀନ୍ଦ୍ର ଭଟ୍ଟଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ଦେଶର ବୃହତ୍ତର ସ୍ୱାର୍ଥକୁ ଦୃଷ୍ଟିରେ ରଖି ରାଜନୀତିର ଅପରାଧୀକରଣକୁ ରୋକିବାକୁ ହେଲେ କି କି ପଦକ୍ଷେପ ଜରୁରୀ, ସେ ସଂପର୍କରେ ଏକ ‘ଫ୍ରେମ୍‌ଓ୍ଵାର୍କ’ ପ୍ରସ୍ତୁତ କରି ଆଗାମୀ ସପ୍ତାହକ ମଧ୍ୟରେ ସୁପ୍ରିମ୍‌ କୋର୍ଟଙ୍କୁ ପ୍ରଦାନ କରିବା ପାଇଁ ନିର୍ବାଚନ କମିସନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର