ନୂଆଦିଲ୍ଲୀ: ହରିୟାଣା ସରକାର ଅବିବାହିତଙ୍କୁ ପେନସନ ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ପେନସନ କେଉଁମାନେ ପାଇବେ ତାହାକୁ ନେଇ ସରକାର କିଛି ନିୟମ ଓ ସର୍ତ୍ତ ରଖିଛନ୍ତି।

Advertisment

କୁହାଯାଉଛି କି ସରକାରଙ୍କ ଏହି ପେନସନର ଲାଭ ଉଠାଇବାକୁ ହେଲେ ଅବିବାହିତଙ୍କୁ ଶହେଥର ଚିନ୍ତା କରିବାକୁ ପଡ଼ିବ। ଏଥିପାଇଁ ସରକାର କିଛି ସର୍ତ୍ତ ରଖିଛନ୍ତି। ଏହି ସର୍ତ୍ତକୁ ଯିଏ ମାନିପାରିବେ ସେମାନେ ସରକାରଙ୍କ ଉକ୍ତ ପେନସନର ଲାଭ ଉଠାଇ ପାରିବେ।

ମନୋହର ଲାଲ ଖଟ୍ଟରଙ୍କ ସରକାର ହରିୟାଣାରେ ଜୁଲାଇ ୧ରୁ ଅବିବାହିତଙ୍କ ପାଇଁ ପ୍ରତିମାସରେ ୨୭୫୦ଟଙ୍କା ପେନସନ ଦେବାର ଯୋଜନା କରିଛନ୍ତି। ଏ ସମ୍ପର୍କରେ ଅଧିସୂଚନା ବି ଜାରି କରାଯାଇଛି। ଏଥିରେ ସରକାରଙ୍କ ନିୟମ ଓ ସର୍ତ୍ତ ସ୍ପଷ୍ଟ ଭାବେ ସୂଚିତ ରହିଛି।

ଅବିବାହିତମାନେ ପେନସନ ପାଇବାକୁ ହେଲେ କ’ଣ ନିୟମ ଓ ସର୍ତ୍ତ ରହିଛି ଜାଣନ୍ତୁ

୧. ଯଦି କୌଣସି ବ୍ୟକ୍ତି ବିବାହ କରି ନାହାନ୍ତି କିନ୍ତୁ ଲିଭ-ଇନରେ ରହୁଛନ୍ତି। ‌ସେମାନେ ଏହି ପେନସନ ପ୍ରାପ୍ତ କରି ପାରିବେ ନାହିଁ।

୨. ଯେଉଁମାନଙ୍କର ଛାଡ଼ପତ୍ର ହୋଇଯାଇଛି ସେମ‌ାନଙ୍କୁ ବି ଏହି ପେନସନ ମିଳିବ ନାହିଁ।

୩. ସେହିପରି ଅନ୍ୟ ପେନସନ ପାଉଥିବା ବ୍ୟକ୍ତିଙ୍କୁ ଏହି ପେନସନର କୌଣସି ଫାଇଦା ହେବ ନାହିଁ।

୪.  ଏହି ପେନସନ୍ ପାଉଥିବା ବ୍ୟକ୍ତି ଯେବେ ବି  ବିବାହ କରିବେ ସରକାରଙ୍କୁ ଜଣାଇବେ। ନଚେତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

୫. ତେଣୁ ପେନସନ ପାଇବାକୁ ହେଲେ ପ୍ରଥମ ସର୍ତ୍ତ ହେଉଛି ପ୍ରାର୍ଥୀ ବିବାହିତ ହୋଇ ନଥିବେ।

୬. ଯେଉଁ ପ୍ରାର୍ଥୀ ସରକାରଙ୍କୁ ସୂଚିତ ନକରି ବିବାହ କରିବେ ତାଙ୍କୁ ଦଣ୍ଡିତ କରାଯିବ। ଏମିତି ଲୋକଙ୍କଠାରୁ ପେନସନର ସମସ୍ତ ରାଶି ସହିତ ୧୨ ପ୍ରତିଶତ ସୁଧ ସହ ଆଦାୟ କରି ନିଆଯିବ।

୭. ଏହି ପେନସନ ପ୍ରାପ୍ତି ପାଇଁ ପ୍ରାର୍ଥୀଙ୍କ ବୟସ ୪୫ରୁ ୬୦ବର୍ଷ ମଧ୍ୟରେ ହୋଇଥିବା ଆବଶ୍ୟକ।

୮. ଉକ୍ତ ପେନସନ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀଙ୍କ ବାର୍ଷିକ ଆୟ ୧.୮୦ଲକ୍ଷରୁ କମ ଥିବା ଦରକାର।

୯. ପ୍ରାର୍ଥୀଙ୍କୁ ପରିବାର ପରିଚୟ ପତ୍ର ପ୍ରତିମାସର ୧୦ ତାରିଖରେ ଜମା କରିବାକୁ ହେବ। ପେନସନ ପ୍ରତି ମାସର ୭ ତାରିଖରେ ବିତରଣ କରାଯିବ।

୧୦. ୬୦ବର୍ଷ ହୋଇଯିବା ପରେ ଏହି ପେନସନ ବୃଦ୍ଧାବସ୍ଥା ଯୋଜନାକୁ ପରିବର୍ତ୍ତନ ହୋଇଯିବ।