ଦଳ ଓ ପରିବାର ଉଭୟ ଭାଙ୍ଗିଗଲା, ଅଜିତ ବିଶ୍ୱାସଘାତକ : ସୁପ୍ରିୟା ସୁଲେ

ମୁମ୍ବାଇ : ବିଜେପିକୁ ଏନସିପି ନେତା ଅଜିତ ପାଓ୍ଵାରଙ୍କ ସମର୍ଥନ ପରେ କେବଳ ଏନସିପି ନୁହେଁ, ପାଓ୍ଵାର ପରିବାରରେ ମଧ୍ୟ ଫାଟ ଦେଖାଦଇଛି । ଏ ସଂପର୍କରେ ଶରଦ ପାଓ୍ଵାରଙ୍କ ଝିଅ ତଥା ଅଜିତଙ୍କ ଦାଦା ଝିଅ ଭଉଣୀ ସୁପ୍ରିୟା ସୁଲେ ନିଜେ ହ୍ଵାଟ୍ସଆପରେ ସଂକେତ ଦେଇଛନ୍ତି । ନିଜ ହ୍ଵାଟ୍ସଆପ ଷ୍ଟାଟସରେ ସେ ଲେଖିଛନ୍ତି ଯେ ଦଳ ଓ ପରିବାର ଭାଙ୍ଗିଗଲା । ଜୀବନରେ ସେ କେବେ ଏତେ ଠକାମୀରେ ପଡିନଥିଲେ । ସେ ଆହୁରି ମଧ୍ୟ ଲେଖିଛନ୍ତି ଯେ ଜୀବନରେ କାହାକୁ ବିଶ୍ୱାସ କରିବେ ? ଏତେ ଠକାମିରେ କେବେ ପଡିନଥିଲି । ତାଙ୍କୁ (ଅଜିତ ପାଓ୍ଵାର)ଙ୍କୁ ସମର୍ଥନ କରିଥିଲି, ଭଲ ପାଉଥିଲି, କିନ୍ତୁ ତା ବଦଳରେ କଣ ମିଳିଲା ?
ସୂଚନାଯୋଗ୍ୟ ଯେ ଆଜି ସକାଳେ ମହାରାଷ୍ଟ୍ରରୁ ରାଷ୍ଟ୍ରପତି ଶାସନ ପ୍ରତ୍ୟାହାର କରାଯିବା ପରେ ମୁଖ୍ୟମନ୍ତ୍ରୀ ଭାବେ ଦେବେନ୍ଦ୍ର ଫଡନବୀସ ଶପଥ ଗ୍ରହଣ କରିଛନ୍ତି । ଏହି ସରକାର ଗଠନରେ ଏନସିପି ନେତା ଅଜିତ ପାଓ୍ଵାରଙ୍କ ବଡ ହାତ ରହିଛି । ଏନସିପିର କେତେକ ବିଦ୍ରୋହୀ ବିଧାୟକଙ୍କୁ ନେଇ ସେ ବିଜେପିକୁ ସମର୍ଥନ କରିଛନ୍ତି । ଅଜିତ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀଭାବେ ଶପଥ ନେଇଛନ୍ତି । ଏହା ଗଣତନ୍ତ୍ରର ହତ୍ୟା ବୋଲି କଂଗ୍ରେସ, ଶିବସେନା କହୁଛନ୍ତି ।

ସମ୍ବନ୍ଧିତ ଖବର