ରାଞ୍ଚି: ଘରେ ବନ୍ଦ କରି ଗୃହ ସହାୟିକାଙ୍କୁ ମାଡ଼ ମାରିଥିବାରୁ ନିଲମ୍ବିତ ହେଲେ ବିଜେପି ନେତ୍ରୀ। ବିଜେପି ଆଜି ଝାଡଖଣ୍ଡର ନେତ୍ରୀ ସୀମା ପାତ୍ରାଙ୍କୁ ଦଳରୁ ନିଲମ୍ବିତ କରିଛି। ସୀମା ପାତ୍ରା ତାଙ୍କ ଗୃହ ସହାୟିକାଙ୍କୁ ଘରେ ତାଲା ପକାଇ ନିର୍ଯାତନା ଦେଇଥିବାର ଅଭିଯୋଗ ହୋଇଛି। ପାତ୍ରା ବିଜେପିର ମହିଳା ୱିଙ୍ଗର ଜାତୀୟ କାର୍ଯ୍ୟକାରିଣୀ କମିଟିର ସଦସ୍ୟ ଥିଲେ। ତାଙ୍କ ସ୍ୱାମୀ ମହେଶ୍ୱର ପାତ୍ରା ଜଣେ ଅବସରପ୍ରାପ୍ତ ଆଇଏଏସ୍ ଅଧିକାରୀ। ତାଙ୍କ ଗୃହ ସହାୟିକା ନିର୍ଯାତନା ଦେଉଥିବାର ଏକ ଭିଡିଓ ଭାଇରାଲ କରି ପୁଲିସରେ ଅଭିଯୋଗ କରିବା ପରେ ଝାଡଖଣ୍ଡ ବିଜେପି ମୁଖ୍ୟ ଦୀପକ ପ୍ରକାଶ ସୀମା ପାତ୍ରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ।
/sambad/media/post_attachments/125b8d23c9fd2aad33447e2aaa8169901547545757f49b066dc6e6aa21711262.jpg)
ଭାଇରାଲ ଭିଡିଓରେ ପୀଡିତା ମହିଳା ସୁନୀତାଙ୍କୁ ଡାକ୍ତରଖାନା ଶଯ୍ୟାରେ ପଡ଼ିଥିବା ଦେଖିବାକୁ ମିଳିଛି। ତାଙ୍କର ଅନେକ ଦାନ୍ତ ଭାଙ୍ଗିଯାଇଥିବା ସହ ସେ ବସିବାକୁ ମଧ୍ୟ ଅସମର୍ଥ ଥିବା ଦେଖାଯାଇଛି। ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ ତାଙ୍କ ଶରୀରରେ ଥିବା ଆଘାତ ଚିହ୍ନ ସୂଚିତ କରୁଛି ଯେ ତାଙ୍କୁ ବାରମ୍ବାର ମାଡ଼ ମରାଯାଉଥିଲା। ଭିଡିଓ ଦେଖିବା ପରେ ଅନେକ ଲୋକ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ବିଜେପି ମହିଳା ନେତ୍ରୀଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ଗତ ୧୦ବର୍ଷ ହେଲାଣି ସୀମାଙ୍କ ଘରେ କାମ କରିଆସୁଛନ୍ତି ସୁନୀତା। ଗତ ୬ବର୍ଷ ମଧ୍ୟରେ ସୀମା ପାତ୍ରା ତାଙ୍କୁ ଅନେକ ଥର ମାଡ଼ ମାରିିଥିବାର ଅଭିଯୋଗ କରିଛନ୍ତି ସୁନୀତା। ତାଙ୍କୁ ଗରମ ତାୱା ଓ ବାଡ଼ିରେ ମାଡ଼ ମରାଯାଇଥିଲା। ଏହି ସମୟରେ ତାଙ୍କର ଦାନ୍ତ ଭାଙ୍ଗିଯାଇଥିଲା। ତାଙ୍କୁ ଚଟାଣରୁ ପରିସ୍ରା ଚାଟିବାକୁ ମଧ୍ୟ କୁହାଯାଇଥିଲା। ଏତେ ସବୁ ପରେ ବି ମୁଁ ମୋର ଭୁଲ କ’ଣ ବୋଲି ଜାଣିପାରୁନଥିବା କହିଛନ୍ତି ସୁନୀତା।