ପ୍ରୟାଗରାଜ: ୨୦୨୪ ଲୋକସଭା ନିର୍ବାଚନର ଷଷ୍ଠ ପର୍ଯ୍ୟାୟ ପ୍ରଚାର ପାଇଁ ଇଣ୍ଡିଆ ମିଳିତ ମେଣ୍ଟ ପକ୍ଷରୁ ରବିବାର ପ୍ରୟାଗରାଜରେ ଏକ ରାଲି କରାଯାଇଥିଲା। ଏହି ରାଲିରେ ସମାଜବାଦୀ ମୁଖ୍ୟ ଅଖିଳେଶ ଯାଦବ ଏବଂ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଭାଷଣ ଦେବାର କାର୍ଯ୍ୟକ୍ରମ ଥିଲା।। କିନ୍ତୁ ଉଭୟ ନେତା ରାଲିକୁ ସମ୍ବୋଧିତ ନ କରି ଫେରିଛନ୍ତି। ସୂଚନାନୁସାରେ, ଅଖିଳେଶ ରାଲିରେ ପହଞ୍ଚିବା ମାତ୍ରେ କର୍ମୀମାନେ ଅନିୟନ୍ତ୍ରିତ ହୋଇପଡିଥିଲେ ଏବଂ ଦଳାଚକଟା ଆରମ୍ଭ ହୋଇଥିଲା। ଏଥିରେ ଅନେକ ଲୋକ ଆହତ ହୋଇଥିଲେ। ଏହା ପରେ ଉତ୍ତେଜନା କାରଣରୁ ରାହୁଲ ଏବଂ ଅଖିଳେଶ ଭାଷଣ ନ ଦେଇ ଫେରି ଆସିଥିଲେ।
ଯେତେବେଳେ ଅବସ୍ଥା ଖରାପ ହେଲା, ମଞ୍ଚ ଉପରେ ବସିଥିବା ଅଖିଳେଶ ଶାନ୍ତ ରହିବାକୁ ସମର୍ଥକମାନଙ୍କୁ ନିବେଦନ କରିଥିଲେ। ପ୍ରାୟ ୧୫ ମିନିଟ୍ ପର୍ଯ୍ୟନ୍ତ ଏହିପରି ଚାଲିଥିଲା । ଏହା ପରେ ରାହୁଲ ଗାନ୍ଧୀ ମଧ୍ୟ କର୍ମୀମାନଙ୍କୁ ଶାନ୍ତ ରହିବାକୁ ନିବେଦନ କରିଥିଲେ। ଏହା ପରେ ଏସପି ସରକାରଙ୍କ ପୂର୍ବତନ ମନ୍ତ୍ରୀ ଶ୍ରୀପ୍ରକାଶ ରାୟ କର୍ମୀମାନଙ୍କୁ କହିଥିଲେ ଯେ ଆମର ଉଭୟ ନେତା ମଞ୍ଚକୁ ଆସିଛନ୍ତି। ଆପଣ ସମସ୍ତେ ଧୈର୍ଯ୍ୟର ସହିତ ଅପେକ୍ଷା କରନ୍ତୁ । ସେମାନଙ୍କୁ କହିବାର ସୁଯୋଗ ଦିଅନ୍ତୁ। ଏହା ପରେ ଅଖିଳେଶ ଅସନ୍ତୁଷ୍ଟ ହୋଇ ମଞ୍ଚ ଛାଡିବା ଆରମ୍ଭ କରିଥିଲେ ।
ଅଖିଳେଶଙ୍କୁ ଚାଲିଯାଉଥିବାର ଦେଖି ମଞ୍ଚରେ ଉପସ୍ଥିତ ନେତାମାନେ ତାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେ କର୍ଣ୍ଣପାତ କରି ନ ଥିଲେ ଏବଂ ମଞ୍ଚ ପଛପଟେ ହେଲିପ୍ୟାଡ ଆଡକୁ ଯିବା ଆରମ୍ଭ କରିଥିଲେ। ଅଖିଳେଶ ଚାଲିଯିବା ପରେ ରାହୁଲ ମଧ୍ୟ ମଞ୍ଚରୁ ଓହ୍ଲାଇ ହେଲିକପ୍ଟରରେ ସଭାସ୍ଥଳ ଛାଡିଥିଲେ।
ସୂଚନାଯୋଗ୍ୟ, ଅଖିଳେଶ ଏବଂ ରାହୁଲ ଗାନ୍ଧୀ ପ୍ରାର୍ଥୀ ଉଜୱାଲ ରମଣ ସିଂଙ୍କ ପାଇଁ ପ୍ରଚାର କରିବାକୁ ପ୍ରୟାଗରାଜକୁ ଆସିଥିଲେ। ଏଥର ବିଜେପି କେସରନାଥ ତ୍ରିପାଠୀଙ୍କ ପୁଅ ନୀରଜ ତ୍ରିପାଠୀଙ୍କୁ ଏଠାରୁ ପ୍ରାର୍ଥୀ କରିଛି।
ରାଲିରେ ହୋଇଥିବା ବିଶୃଙ୍ଖଳା ପାଇଁ ଏସପିଙ୍କ ଏମଏଲସି ବିଜେପିକୁ ଦାୟୀ କରିଛନ୍ତି। ସେ କହିଛନ୍ତି ଯେ ରାଲିରେ ଆସିଥିବା ଜନତାଙ୍କୁ ଦେଖିବା ପରେ ବିଜେପି ଚକିତ ହୋଇଯାଇଛି, ତେଣୁ ସେମାନେ ଏଠାରେ ସୁରକ୍ଷାକର୍ମୀଙ୍କର ବ୍ୟବସ୍ଥା କରିନାହାନ୍ତି ଫଳରେ ବିଶୃଙ୍ଖଳା ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/05/WhatsApp-Image-2024-05-19-at-4.03.35-PM.jpeg)