ମୋଦୀଙ୍କ କ୍ୟାବିନେଟରୁ ଇସ୍ତଫା ଦେଇପାରନ୍ତି ଏହି ମନ୍ତ୍ରୀ

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନ ପାଇଁ ବିହାରରେ ଆସନ ବୁଝାମଣା ଫର୍ମୁଲା ସ୍ଥିର ହୋଇଛି। ବିହାରର ୪୦ଟି ଲୋକସଭା ଆସନରୁ ବିଜେପି ୧୭ଟି ଓ ଜେଡିୟୁ ୧୬ଟି ଆସନରେ ଲଢ଼ିବ। ଚିରାଗ ପାଶୱାନଙ୍କ ନେତୃତ୍ୱାଧୀନ ଏଲଜେପି ୫ଟି ଆସନରେ ଲଢିବ। ସେହିପରି ଉପେନ୍ଦ୍ର କୁଶୱାହାଙ୍କ ଦଳ ରାଷ୍ଟ୍ରୀୟ ଲୋକ ଜନତା ଦଳ ଏବଂ ପୂର୍ବତନ ମୁଖ୍ୟମନ୍ତ୍ରୀ ଜିତନ ରାମ ମାଝୀଙ୍କ ଦଳ ହାମ ଗୋଟିଏ ଲେଖାଏଁ ଆସନରେ ନିର୍ବାଚନ ଲଢ଼ିବ। କିନ୍ତୁ ଏନଡିଏ ପକ୍ଷରୁ ଆସନ ବଣ୍ଟନ ଘୋଷଣାରେ କେନ୍ଦ୍ରମନ୍ତ୍ରୀ ତଥା ଚିରାଗଙ୍କ ଚାଚା ପଶୁପତି କୁମାର ପାରସଙ୍କ ନାମ ସାମିଲ ହୋଇନଥିଲା ।

ମିଳିଥିବା ସୂଚନା ଅନୁଯାୟୀ, ବିଜେପିର ଏହି ନିଷ୍ପତ୍ତିରେ କ୍ଷୁବ୍ଧ ହୋଇଛନ୍ତି ପଶୁପତି । ଏହି କାରଣରୁ ସେ କେନ୍ଦ୍ର ମନ୍ତ୍ରୀମଣ୍ଡଳରୁ ଇସ୍ତଫା ଦେବା ସହ ଏନଡିଏ ଛାଡ଼ିବାର ଚର୍ଚ୍ଚା ହେଉଛି । ସେପଟେ ତାଙ୍କୁ ଆକୃଷ୍ଟ କରିବାକୁ ଆରଜେଡି ୩ଟି ଆସନ ଅଫର କରିଛି ବୋଲି ଚର୍ଚ୍ଚା ହେଉଛି ।

ମିଳିଥିବା ସୂଚନା ଅନୁଯାୟୀ, ଏଥର ଆସନ ବଣ୍ଟନ ଘୋଷଣା ପୂର୍ବରୁ ବିଜେପିର କୌଣସି ବଡ଼ ନେତା ତାଙ୍କ ସହ କଥା ହୋଇନଥିବାରୁ ପଶୁପତି କୁମାର ପାରସ ମଧ୍ୟ କ୍ଷୁବ୍ଧ ହୋଇଛନ୍ତି। ଆଜି ପଶୁପତି ପାରସ ତାଙ୍କ ଦଳୀୟ ନେତାଙ୍କୁ ଭେଟି ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋଚନା କରିବେ।

ସମ୍ବନ୍ଧିତ ଖବର