ରାହୁଲ ଗାନ୍ଧୀଙ୍କ ସମାବେଶ ଭଣ୍ଡୁର ଧମକ ପ୍ରତ୍ୟାହାର କଲା ପାସ୍‌

ଅହମଦାବାଦ୍‌ : ପଟିଦାର ଅନାମତ ଆନ୍ଦୋଳନ ସମିତି (ପାସ୍‌) ରାହୁଲ୍‌ ଗାନ୍ଧୀଙ୍କ ବୈଠକ ଭଣ୍ଡୁର କରିବାନେଇ ଯେଉଁ ଧମକ ଦେଇଥିଲା ତାହା ଆଜି ପ୍ରତ୍ୟାହାର କରିନେଇଛି। ପୂର୍ବରୁ ପଟିଦାର ଆନ୍ଦୋଳନ ନେତା ହାର୍ଦ୍ଦିକ କଂଗ୍ରେସ୍‌କୁ ଧମକ ଦେଇ କହିଥିଲେ ଯେ ନଭେମ୍ବର ୩ ସୁଦ୍ଧା ପଟିଦାର ସଂରକ୍ଷଣ ବାବଦରେ ସ୍ପଷ୍ଟ କରାଅ ନଚେତ୍‌ ଫଳ ଭୋଗିବ। ତେବେ ହାର୍ଦ୍ଦିକଙ୍କ ଏହି ଧମକକୁ ଆଜି ପାସ୍‌ ପ୍ରତ୍ୟାହାର କରିନେଇଛି। କଂଗ୍ରେସ ସହ ଦୀର୍ଘ ୪ ଘଣ୍ଟାର ବୈଠକ ପରେ ପାସ୍‌ ନେତା ଅଳ୍ପେଶ କାଥିରିଆ ଧମକ ପ୍ରତ୍ୟାହାର ଘୋଷଣା କରିଛନ୍ତି। ରାଜ୍ୟ କଂଗ୍ରେସ ଅଫିସରେ ଆଜି ରାଜ୍ୟ କଂଗ୍ରେସ ଅଧ୍ୟକ୍ଷ ଭରତସିଂହ ସୋଲାଙ୍କିଙ୍କ ତତ୍ତ୍ୱାବଧାନରେ ୪ ବରିଷ୍ଠ କଂଗ୍ରେସ ନେତା ଏବଂ ଦିନେଶ ବମ୍ଭାନିଆଙ୍କ ତତ୍ତ୍ୱାବଧାନରେ ୮ ପାସ୍‌ ନେତା ୪ ଘଣ୍ଟାର ଆଲୋଚନା ବୈଠକରେ ସାମିଲ ହୋଇଥିଲେ।

ଓବିସି କ୍ୟାଟେଗୋରି ଅଧିନରେ ପଟିଦାର ସଂରକ୍ଷଣ ସମେତ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଆଲୋଚନ ହୋଇଥିବା ଜଣାଯାଇଛି। ତେବେ କଂଗ୍ରେସ ପଟିଦାର ସଂରକ୍ଷଣକୁ ବାଦ୍‌ ଦେଲେ ପାସ୍‌ ଦ୍ୱାରା ହୋଇଥିବା ବାକି ସମସ୍ତ ଦାବି ଗୁଡ଼ିକୁ ଗ୍ରହଣ କରିନେଇଥିବା କାଥିରିଆ କହିଛନ୍ତି। ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ନ୍ୟାୟିକ ଏବଂ ସାମ୍ବିଧାନିକ ବିଷେଷଜ୍ଞମାନଙ୍କ ସହ ଆଲୋଚନା କରିବାପରେ ହିଁ ିକିଛି ସମାଧାନର ସୁତ୍ର ବାହାରି ପାରିବ ବୋଲି କଂଗ୍ରେସ ପାସ୍‌ ନେତାମାନଙ୍କୁ ଆଶ୍ୱାସନା ଦେଇଥିବା କାଥିରିଆ କହିଛନ୍ତି। ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ହେଉଛି ପାସ୍‌ ନଭେମ୍ବର ୩ ତାରିଖରେ ସୁରଟ୍‌ରେ ରାହୁଲଙ୍କ ସାର୍ବଜନିକ ବୈଠକକୁ ବିରୋଧ କରିବନି କି ସମର୍ଥନ ମଧ୍ୟ କରିବନି। ଅନ୍ୟପକ୍ଷରେ ନଭେମ୍ବର ୬ ଏବଂ ୭ ତାରିଖରେ ପାସ୍‌ ନେତାମାନଙ୍କର ବୈଠକ ପରେ ହିଁ କଂଗ୍ରେସକୁ ସମର୍ଥନ କରିବା ନେଇ ନିଷ୍ପତ୍ତି ଚୁଡ଼ାନ୍ତ ହେବ ବୋଲି କାଥିରିଆ କହିଛନ୍ତି।

ସମ୍ବନ୍ଧିତ ଖବର