ଲଣ୍ଡନ-ମୁମ୍ବାଇ ବିମାନରେ ଉତ୍ପାତ କରି ଯାତ୍ରୀ ଗିରଫ

ମୁମ୍ବାଇ : ଜନୈକ ଭାରତୀୟ ବଂଶୋଦ୍ଭବ ଆମେରିକୀୟ ନାଗରିକ ଲଣ୍ଡନରୁ ମୁମ୍ବାଇ ଆସୁଥିବା ଏୟାର ଇଣ୍ଡିଆ ବିମାନରେ ଧୂମପାନ କରି ସହଯାତ୍ରୀ ତଥା ବିମାନ କର୍ମଚାରୀଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଛି। ଏହି ଅଭିଯୋଗରେ ମୁମ୍ବାଇ ପୁଲିସ ଦ୍ବାରା ୩୭ ବର୍ଷୀୟ ରମାକାନ୍ତଙ୍କୁ ଶୁକ୍ରବାର ଗିରଫ କରାଯାଇଛି।

ମୁମ୍ବାଇ ପୁଲିସର କହିବା ଅନୁସାରେ, ରମାକାନ୍ତଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ରମାକାନ୍ତ ୱାସରୁମ୍ ଭିତରକୁ ଯାଇ ଧୂମପାନ କରିବା ପରେ ଆଲାର୍ମ ଘଣ୍ଟି ବାଜିବାରୁ ବିମାନ କର୍ମଚାରୀମାନେ ଯାଇ ତାଙ୍କୁ ସିଗାରେଟ୍ ଟାଣୁଥିବା ଦେଖିଥିଲେ। ବିମାନ କର୍ମଚାରୀଙ୍କୁ ଦେଖି ସେ ସିଗାରେଟ୍ ଫୋପାଡ଼ି ଦେଇଥିଲେ। ତା’ପରେ ରମାକାନ୍ତ ବିମାନ କର୍ମଚାରୀଙ୍କୁ ଗାଳିଗୁଲଜ କରିଥିଲେ। ବିମାନ କର୍ମଚାରୀମାନେ ତାଙ୍କୁ କୌଣସି ପ୍ରକାର ତାଙ୍କ ସିଟ୍‌ରେ ଆଣି ବସାଇଥିଲେ। କିନ୍ତୁ ତା’ପରେ ସେ ଉଠି ବିମାନର ଦରଜା ଖୋଲିବାକୁ ଚେଷ୍ଟା କରିଥିଲେ। ସବୁ ଯାତ୍ରୀ ସେତେବେଳେ ଆତଙ୍କିତ ହୋଇପଡ଼ିଥିଲେ। ସେ କାହାରି କଥା ନ ଶୁଣି ପାଟିତୁଣ୍ଡ କରିବାରେ ଲାଗିଥିଲେ। ତା’ପରେ ବିମାନ କର୍ମଚାରୀମାନେ ରମାକାନ୍ତଙ୍କ ହାତଗୋଡ଼ ବାନ୍ଧି ତାଙ୍କ ସିଟ୍‌ରେ ବସାଇଦେଇଥିଲେ। ମୁମ୍ବାଇରେ ପହଞ୍ଚିବା ପରେ ରମାକାନ୍ତଙ୍କୁ ସିଟି ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

ସମ୍ବନ୍ଧିତ ଖବର