୧୨ରୁ ଚାଲିବ ଯାତ୍ରୀ ଟ୍ରେନ୍‌ : ପ୍ରଥମ ପର୍ଯ୍ୟାୟରେ ନୂଆଦିଲ୍ଲୀ-ଭୁବନେଶ୍ବର

ବିଭିନ୍ନ ସହରକୁ ୧୫ ଯୋଡ଼ା ଟ୍ରେନ୍, ଆଜିଠାରୁ ଅନଲାଇନ୍‌ରେ ଟିକେଟ ବୁକିଂ, କେବଳ ଟିକେଟ୍‌ ଥିଲେ ଅନୁମତି ମିଳିବ

ନୂଆଦିଲ୍ଲୀ : ଦେଢ଼ ମାସ ବ୍ୟବଧାନ ପରେ ପୁଣି ଗଡ଼ିବ ଯାତ୍ରୀ ଟ୍ରେନ୍। ଆସନ୍ତା ୧୨ ତାରିଖରୁ ପର୍ଯ୍ୟାୟ କ୍ରମେ ଯାତ୍ରୀ ଟ୍ରେନ ସେବା ଆରମ୍ଭ କରିବାକୁ ସରକାର ସ୍ଥିର କରିଛନ୍ତି। ୧୨ ତାରିଖରେ ନୂଆଦିଲ୍ଳୀରୁ ୧୫ ଯୋଡ଼ା ସ୍ବତନ୍ତ୍ର ଟ୍ରେନ ସେବା ଆରମ୍ଭ ହେବ। ଏଥିରେ ଭୁବନେଶ୍ବର ପାଇଁ ମଧ୍ୟ ‌ଟ୍ରେନ ରହିଛି। କେବଳ ଏସି କୋଚ୍ ଥିବା ଏହି ଟ୍ରେନ୍ କିଛି ମାତ୍ର ଷ୍ଟେସନରେ ଅଟକିବ। ପରେ ଯାତ୍ରୀ ଟ୍ରେନ ସଂଖ୍ୟା ବୃଦ୍ଧି କରାଯିବ। କରୋନା ଯୋଗୁଁ ଲକ୍ ଡାଉନ୍ ଦିନ ଠାରୁ ବନ୍ଦ ପଡ଼ିଥିବା ଯାତ୍ରୀ ଟ୍ରେନ ସେବା ଆରମ୍ଭ କରିବା ଲାଗି କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ବିଭିନ୍ନ ସ୍ଥାନରେ ଅଟକି ରହିଥିବା ଲୋକଙ୍କୁ ଆଶ୍ବସ୍ତ କରିଛି।

ଆଜି ସନ୍ଧ୍ୟାରେ ରେଳ ମନ୍ତ୍ରୀ ପୀୟୂଷ ଗୋୟଲ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ ମେ’ ୧୨ ତାରିଖରୁ ଦେଶରେ ଯାତ୍ରୀବାହୀ ଟ୍ରେନ୍‌ ସେବା ଆରମ୍ଭ ହେବ। ୧୫ ‌‌ଯୋଡ଼ା ସ୍ବତନ୍ତ୍ର ଟ୍ରେନ୍‌ ସହ ଦେଶରେ ଆଂଶିକ ଭାବେ ଟ୍ରେନ୍‌ ଚଳାଚଳ ଆରମ୍ଭ କରାଯିବ। ନୂଆଦିଲ୍ଲୀରୁ ଦେଶର ୧୫ଟି ଗୁରୁତ୍ବପୂର୍ଣ୍ଣ ସହରକୁ ଏହି ୧୫ ଯୋଡ଼ା ଟ୍ରେନ୍‌ ସ୍ବତନ୍ତ୍ର ଭାବେ ଯାତ୍ରା କରିବ। ନୂଆଦିଲ୍ଲୀ ଷ୍ଟେସନ୍‌ରୁ ଦିବ୍ରୁଗଡ଼, ଅଗରତାଲା, ହାଓଡ଼ା, ପାଟନା, ବିଳାସପୁର, ରାଞ୍ଚି, ଭୁବନେଶ୍ବର, ସିକନ୍ଦରାବାଦ୍‌, ବେଙ୍ଗାଲୁରୁ, ଚେନ୍ନାଇ, ତିରୁଅନନ୍ତପୁରମ୍‌, ମାଡଗାଓଁ, ମୁମ୍ବାଇ କେନ୍ଦ୍ର, ଅହମଦାବାଦ୍‌ ଏବଂ ଜମ୍ମୁ ତାୱିକୁ ଟ୍ରେନ୍‌ ଚାଲିବ। ଗୋୟଲ କହିଛନ୍ତି, ୧୫ ଯୋଡ଼ା ସ୍ବତନ୍ତ୍ର ‌ଟ୍ରେନ୍‌ ସହ ନୂଆଦିଲ୍ଲୀରୁ ଦେଶର ପ୍ରମୁଖ ସହରଗୁଡ଼ିକ ସହ ଯୋଗାଯୋଗ ରଖିବାପାଇଁ ଯାତ୍ରା ଆରମ୍ଭ ହେବ। ଆସନ୍ତାକାଲି ଅପରାହ୍ନ ୪ଟାରୁ ଟ୍ରେନ୍‌ ପାଇଁ ଟିକେଟ୍‌ ବୁକିଂ ଆରମ୍ଭ ହେବ। କେବଳ ଆଇଆରସିଟିସି ୱେବସାଇଟ୍‌ରେ ଟିକେଟ୍‌ ବୁକିଂ ହେବ। ରେଳଷ୍ଟେସନ୍‌ରେ ଟିକେଟ୍‌ ବୁକିଂ କାଉଣ୍ଟର ବନ୍ଦ ରହିବ।

ପ୍ଲାଟଫର୍ମ ଟିକେଟ୍‌ ସହ କୌଣସି କାଉଣ୍ଟର ଟିକେଟ୍‌ ଜାରି ହେବନି। କେବଳ କନଫର୍ମ ଟିକେଟ୍‌ ଥିବା ଯାତ୍ରୀମାନଙ୍କୁ ରେଳ ଷ୍ଟେସନ୍‌କୁ ପ୍ରବେଶ ଅନୁମତି ମିଳିବ। ଯାତ୍ରୀମାନେ ମୁହଁକୁ ମାସ୍କରେ ଘୋଡ଼ାଇବା ବାଧ୍ୟତାମୂକଳ। ଷ୍ଟେସନ ପ୍ରବେଶ ପୂର୍ବରୁ ଯାତ୍ରୀମାନଙ୍କର ସ୍କ୍ରିନିଂ କରାଯିବ। କେବଳ କରୋନା ଲକ୍ଷଣ ନଥିବା ‌ରୋଗୀମାନଙ୍କୁ ଯାତ୍ରା ଅନୁମତି ମିଳିବ। ଯାତ୍ରା ବେଳେ ସାମାଜିକ ଦୂରତ୍ବକୁ ସୁନିଶ୍ଚିତ କରାଯିବ।

ତେବେ ପ୍ରଥମେ ୧୫ ଯୋଡ଼ା ଟ୍ରେନ୍‌ରେ ଯାତ୍ରା ଆରମ୍ଭ କରିବାପରେ ରେଳବାଇ ପକ୍ଷରୁ ଧୀରେଧୀରେ ନୂଆ ରୁଟ୍‌ରେ ପୁଣି ଅଧିକ ଟ୍ରେନ୍‌ ଚାଲିବା ପାଇଁ ଯୋଜନା ହୋଇଛି। ଉଲ୍ଲେଖ‌ଯୋଗ୍ୟ ମାର୍ଚ୍ଚ ୨୫ ତାରିଖରେ ଲକ୍‌ଡାଉନ୍‌ ଘୋଷଣା ହେବା ପରଠାରୁ‌ ଦେଶରେ ଟ୍ରେନ୍‌ ସେବା ବନ୍ଦ ଥିଲା। ଦେଶରେ ଏବେ ଖାଲି ମାଲବାହୀ ଗାଡ଼ି ସମେତ ପ୍ରବାସୀ ଶ୍ରମିକମାନଙ୍କୁ ନିଜ ନିଜ ରାଜ୍ୟକୁ ଫେରାଇ ଆଣିବା ଲାଗି ଶ୍ରମିକ ସ୍ପେସାଲ୍‌ ଟ୍ରେନ୍ ଚାଲୁଛି। ଲକ୍ ଡାଉନ୍ ପୂର୍ବରୁ ଦେଶରେ ପ୍ରତିଦିନ ୧୨ ହଜାର ଟ୍ରେନ ଚଳାଚଳ କରୁଥିଲା।

ସମ୍ବନ୍ଧିତ ଖବର