କ୍ୟାବିନ୍‌ ପ୍ରେସର୍‌ ମେଣ୍ଟେନ୍‌ କରିବାକୁ ଭୁଲିଗଲେ ଜେଟ୍‌ ଏୟାରୱେଜର କ୍ରୁ; ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ପଡ଼ିବାରୁ ମୁମ୍ବାଇ ଫେରିଲା ବିମାନ

ମୁମ୍ବାଇ: କ୍ୟାବିନ୍‌ ପ୍ରେସର୍‌ ମେଣ୍ଟେନ୍‌ କରିବା ସିଷ୍ଟମ୍‌ ସୁଇଚ୍‌ ଅନ୍‌ କରିବାକୁ କ୍ରୁ ଭୁଲିଯିବାରୁ ଗୁରୁବାର ସକାଳେ ମୁମ୍ବାଇ-ଜୟପୁର ଜେଟ୍‌ ଏୟାରୱେଜର ଏକ ବିମାନରେ କେତେକ ଯାତ୍ରୀଙ୍କ ନାକ ଓ କାନରୁ ରକ୍ତ ପଡ଼ିଥିବା କଥା ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌ (ଡିଜିସିଏ) କହିଛି।

ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍‌ ସିଭିଲ୍‌ ଏଭିଏସନ୍‌ର ଡେପୁଟି ଡାଇରେକ୍ଟର୍‌ ଜେନେରାଲ୍‌ ଲଳିତ ଗୁପ୍ତ କହନ୍ତି: କ୍ୟାବିନ୍‌ ପ୍ରେସର୍‌ ମେଣ୍ଟେନ୍‌ କରିବାକୁ ସୁଇଚ୍‌ ଦେବାକୁ ଭୁଲି ଯାଇଥିବା କାରଣରୁ ୯ଡବ୍ଲୁ ୬୯୭ ମୁମ୍ବାଇ-ଜୟପୁର ବିମାନ ଉଡ଼ାଣ ଆରମ୍ଭ ପରେ ମୁମ୍ବାଇ ଫେରିଆସିଥିଲା। ଏହା ଫଳରେ ଅକ୍ସିଜେନ୍‌ ମାସ୍କ୍‌ ଖସିପଡ଼ିଥିଲା। ୧୬୬ ଜଣ ଯାତ୍ରୀଙ୍କ ମଧ୍ୟରୁ ତିରିଶ ଜଣଙ୍କ ନାକ ଓ କାନରୁ ରକ୍ତ ପଡ଼ିଥିଲା, କେତେକ ଯାତ୍ରୀଙ୍କର ମୁଣ୍ଡ ବିନ୍ଧିଥିବା କଥା ଅଭିଯୋଗ କରିଥିଲେ।

ସେ କ୍ରୁ’ଙ୍କୁ ଡିୟୁଟିରୁ ଅନ୍ତର କରାଯାଇଛି ଏବଂ ଏୟାର୍‌କ୍ରାପ୍ଟ୍‌ ଆକ୍ସିଡେଣ୍ଟ୍‌ ଇଭେଷ୍ଟିଗେସନ୍‌ ବ୍ୟୁରୋ ତଦନ୍ତ ଆରମ୍ଭ କରିଛି ବୋଲି ଡିଜିସିଏ କହିଛନ୍ତି।

ମୁମ୍ବାଇ ବିମାନ ବନ୍ଦରରେ ଯାତ୍ରୀମାନଙ୍କର ଚିକିତ୍ସା କରାଯାଉଛି।

ଜେଟ୍‌ ଏୟାରୱେଜ୍ ଏକ ବକ୍ତବ୍ୟରେ କହିଛି, ବି ୭୩୭ ବିମାନଟି ସ୍ୱାଭାବିକ ଭାବେ ମୁମ୍ବାଇରେ ଅବତରଣ କରିଛି। ସବୁ ଯାତ୍ରୀଙ୍କୁ ନିରାପଦରେ ବିମାନରୁ ଓହ୍ଲାଇ ଦିଆଯାଇ ଟର୍ମିନାଲ୍‌କୁ ନିଆଯାଇଛି। କାନ ବିନ୍ଧା ଏବଂ ନାକରୁ ରକ୍ତ ପଡୁଥିବା ଅଭିଯୋଗ କରିଥିବା ଅଳ୍ପ କେତେକ ଯାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦିଆଯାଇଛି। ତଦନ୍ତ ଚାଲୁଥିବାରୁ ବିମାନ କକ୍‌ପିଟ୍‌ର ଉକ୍ତ କ୍ରୁ’ଙ୍କୁ କାର୍ଯ୍ୟାନ୍ତର କରାଯାଇଛି। ସେ ବିମାନରେ ଥିବା ଯାତ୍ରୀମାନଙ୍କ ନିମନ୍ତେ ଏୟାର୍‌ଲାଇନ୍‌ ଅନ୍ୟ ଏକ ବିମାନ ବ୍ୟବସ୍ଥା କରୁଛି। ଯାତ୍ରୀମାନଙ୍କୁ ଅସୁବିଧାରେ ସମ୍ମୁଖୀନ କରାଇଥିବାରୁ ଜେଟ୍‌ ଏୟାରୱେଜ୍ ଦୁଃଖ ପ୍ରକାଶ କରୁଛି।

ପୂର୍ବାହ୍ନ ୧୦:୧୫ରେ ଉକ୍ତ ବିମାନ ମୁମ୍ବାଇରୁ ଜୟପୁର ଯିବ।

ସମ୍ବନ୍ଧିତ ଖବର