ଫ୍ଲୋରିଡ଼ା: ପବନ ପ୍ରବାହ ବେଗରେ ହଠାତ୍‌ ପରିବର୍ତ୍ତନ ହେବାରୁ ଆମେରିକାର ଉତ୍ତର କାରୋଲିନାରୁ ଫ୍ଲୋରିଡା ଯାଉଥିବା ଗୋଟାଏ ବିମାନ ଦୋହଲି ଯାଇ ସେଥିରେ ଥିବା କେତେକ ଯାତ୍ରୀ ଓ ବିମାନ କର୍ମଚାରୀ ଆହତ ହୋଇଛନ୍ତି ବୋଲି ‘ଦି ଇଣ୍ଡିପେଣ୍ଡେଣ୍ଟ୍‌’ ସମ୍ବାଦପତ୍ର ରିପୋର୍ଟ କରିଛି।

Advertisment

ରିପୋର୍ଟ ଅନୁସାରେ, ଜୁଲାଇ ୧୨ ତାରିଖ ଦିନ ‘ଆଲେଜିଆଣ୍ଟ୍‌ ଏୟାର୍‌ଲାଇନ୍‌ସ୍‌’ର ୨୨୭ ନମ୍ବର ବିମାନ ଉତ୍ତର କାରୋଲିନାରୁ ଉଡ଼ାଣ ଆରମ୍ଭ କରି ଫ୍ଲୋରିଡାର ସେଣ୍ଟ୍‌ ପିଟେ-କ୍ଲିଅର୍‌ୱାଟର୍‌ ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଏୟାର୍‌ପୋର୍ଟ’ ଅଭିମୁଖେ ଯାଉଥିବା ବେଳେ ‘ଟର୍ବୁଲେନ୍‌ସ୍‌’ର (ପବନରେ ଦୋହଲି ଯିବା) ସମ୍ମୁଖୀନ ହୋଇଥିଲା।

publive-image Image Courtesy of The Independent

ଉକ୍ତ ବିମାନରେ ଥିବା ୧୭୯ଜଣ ଯାତ୍ରୀ ଓ ୬ଜଣ କର୍ମଚାରୀଙ୍କ ମଧ୍ୟରୁ ଏହି ଅଘଟଣରେ ୪ଜଣ ଆହତ ହୋଇଥିଲେ। ଅଘଟଣ ସମୟରେ ଜଣେ ବିମାନ କର୍ମଚାରୀ ଉପରକୁ ଉଠିଯାଇ ବିମାନ ଚଟାଣରେ ପଡ଼ିଯାଇଥିଲେ। ସେହି ସମୟରେ ବିମାନର ଶୌଚାଳୟକୁ ଯାଇଥିବା ଜଣେ ମହିଳା ଯାତ୍ରୀଙ୍କ ମୁଣ୍ଡ ଫାଟି ରକ୍ତ ବାହାରି ଆସିଥିଲା। ‘ୱାସ୍‌ରୁମ୍‌’ ଯାଇଥିବା ଆଉ ଜେଣ ମହିଳାଙ୍କ ଭ୍ରୂଲତା ଚିରି ହୋଇ ରକ୍ତ ବାହାରୁ ଥିଲା।

ଏୟାର୍‌ ଲାଇନ୍‌ ସୂଚନା ଅନୁସାରେ, ଉକ୍ତ ବିମାନ ନିରାପଦରେ ଅବତରଣ କରିବା ସହିତ ଗେଟ୍‌ ନିକଟରେ ପହଞ୍ଚିଥିଲା। ଆହତମାନଙ୍କର ଚିକିତ୍ସା ନିମନ୍ତେ ଡାକ୍ତରୀ କର୍ମଚାରୀମାନେ ସେଠାରେ ଅପେକ୍ଷା କରିଥିଲେ। ୨ଜଣ ଯାତ୍ରୀ ଓ ୨ଜଣ ବିମାନ କର୍ମଚାରୀଙ୍କୁ ଡାକ୍ତରଖାନା ନିଆଯାଇଥିଲା।

ସେମାନଙ୍କର ସ୍ବାସ୍ଥ୍ୟାବସ୍ଥା ସମ୍ବନ୍ଧରେ ସବିଶେଷ ତଥ୍ୟ ମଳିନ ଥିଲେ ବି କେତେଜଣଙ୍କର ହାଡ଼ ଭାଙ୍ଗିଯାଇଥିବା କୁହାଯାଉଛି।