ଏୟାର ଇଣ୍ଡିଆ ବିମାନରେ ଯାତ୍ରୀମାନଙ୍କ ଗୁଣ୍ଡାଗର୍ଦି : କ୍ର୍ୟୁ ସଦସ୍ୟଙ୍କୁ ପିଟିବା ସହ କକପିଟ୍ କବାଟ ଭାଙ୍ଗିବା ଧମକ ଦେଲେ, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ମଧ୍ୟରେ ଯାତ୍ରୀମାନଙ୍କ ଗୁଣ୍ଡାଗର୍ଦି ଦେଖିବାକୁ ମିଳିଛି। ଯାନ୍ତ୍ରିକ ତ୍ରୁଟି ପାଇଁ ବିମାନ ଉଡ଼ାଣରେ ବିଳମ୍ବ ହେବାରୁ ଯାତ୍ରୀମାନେ ବିମାନର କ୍ର୍ୟୁ ସଦସ୍ୟଙ୍କୁ ମାଡ଼ ମାରିବା ସହ ବିମାନର କକପିଟ୍ କବାଟକୁ ଭାଙ୍ଗିବାର ଧମକ ଦେଉଥିବାର ଭିଡିଓ ଏବେ ଭାଇରାଲ ହୋଇଛି। ଘଟଣାଟି ସାମ୍ନାକୁ ଆସିବା ପରେ ଏୟାର ଇଣ୍ଡିଆର ମୁଖପାତ୍ର ଘଟଣାର ସବିଶେଷ ବିବରଣୀ ଦେବାକୁ କ୍ର୍ୟୁ ସଦସ୍ୟଙ୍କୁ ଆଦେଶ ଦେଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଜାନୁଆରୀ ୨ତାରିଖରେ ଦିଲ୍ଲୀରୁ ମୁମ୍ବାଇ ଯିବାକୁ ଥିବା ଏଆଇ ୮୬୫ ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା। ଯାନ୍ତ୍ରିକ ତ୍ରୁଟି ଥିବାରୁ ବିମାନ ଉଡ଼ାଣରେ ବିଳମ୍ବ ହେବାରୁ ଭିତରେ ବସି ରହିଥିବା ଯାତ୍ରୀମାନେ ରାଗି ଯାଇଥିଲେ।  ବସିଥିବା ସ୍ଥାନରୁ ଉଠି ଯାତ୍ରୀମାନେ କକପିଟ୍ କବାଟ ବାଡ଼ାଇବା ଆରମ୍ଭ କରିଥିଲେ। ଯଦି ପାଇଲଟ୍ କକପିଟ୍ କବାଟ ନ ଖୋଲନ୍ତି, ତେବେ ଏହାକୁ ଭାଙ୍ଗିଦେବୁ ବୋଲି ଜଣେ ପୁରୁଷ ଯାତ୍ରୀ କହୁଥିବା ବେଳେ ବିମାନ ମୁଖ୍ୟ ଦ୍ବାରକୁ ଖୋଲିବାକୁ ଚେଷ୍ଟା କରିଥିଲେ ଜଣେ ମହିଳା ଯାତ୍ରୀ। ଏ ନେଇ ବିମାନର କ୍ର୍ୟୁ ସଦସ୍ୟ ଓ ମହିଳା ଯାତ୍ରୀଙ୍କ ମଧ୍ୟରେ ବଚସା ହେବା ସହ ଯାତ୍ରୀଜଣଙ୍କ କ୍ର୍ୟୁ ସଦସ୍ୟଙ୍କ ଉପରକୁ ହାତ ଉଠାଇଥିଲେ। ତେବେ ଘଟଣାର ଭିଡିଓ ସାମ୍ନାକୁ ଆସିବା ପରେ ଏବେ ଏୟାରଲାଇନ ପକ୍ଷରୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର