ଉଡ଼ନ୍ତା ‘ଇଣ୍ଡିଗୋ’ ବିମାନରେ ଯାଉଥିବା ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ରେ ଲାଗିଗଲା ନିଆଁ

ନୂଆଦିଲ୍ଲୀ: ଗୁରୁବାର ଦିନ ଇଣ୍ଡିଗୋ ବିମାନରେ ଡିବ୍ରୁଗଡ଼ରୁ ଦିଲ୍ଲୀ ଯାଉଥିବା ଜଣେ ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ରେ ନିଆଁ ଲାଗିଯାଇଥିଲା କିନ୍ତୁ, ବିମାନରେ ଥିବା କ୍ୟାବିନ୍‌ କ୍ରୁ’ମାନେ ‘ଫାୟାର୍‌ ଏକ୍‌ଷ୍ଟିଙ୍ଗୁଇସର୍‌’ ସାହାଯ୍ୟରେ ନିଆଁ ଲିଭାଇ ଦେଇଥିଲେ ବୋଲି ‘ଡିଜିସିଏ’ର ଅଧିକାରୀମାନେ କହିଛନ୍ତି।

‘ଡାଇରେକ୍ଟୋରେଟ୍‌ ଜେନେରାଲ୍‌ ଅଫ୍ ସିଭିଲ୍‌ ଏଭିଏସନ୍‌’ର (ଡିଜିସିଏ) ଅଧିକାରୀମାନେ କହିଛନ୍ତି, ଏହି ଘଟଣା ଯୋଗୁଁ କୌଣସି ଯାତ୍ରୀ କିଂବା କ୍ରୁ’ମେମ୍ବର୍‌ ଆହତ ହୋଇ ନାହାନ୍ତି।

Image Courtesy of Business Standard

ସେମାନେ ଆହୁରି ମଧ୍ୟ କହିଛନ୍ତି, ଇଣ୍ଡିଗୋ ଏୟାର୍‌ଲାଇନ୍‌ସ୍‌ର ‘୬ଇ ୨୦୩୭’ ବିମାନଟି ଡିବ୍ରୁଗଡ଼ରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ଜଣେ ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ରୁ ନିଆଁ ସ୍ଫୁଲିଙ୍ଗ (ସ୍ପାର୍କ) ଏବଂ ଧୂଆଁ ବାହାରୁଥିବାର କ୍ରୁ’ମେମ୍ବର୍‌ମାନେ ଦେଖିପାରିଥିଲେ। ତୁରନ୍ତ ସେମାନେ ‘ଫାୟାର୍‌ ଏକ୍‌ଷ୍ଟିଙ୍ଗ୍ୟୁଇସର୍‌’ ଯୋଗେ ନିଆଁ ଲିଭାଇ ଦେଇଥିଲେ।

ଏହାପରେ, ଅପରାହ୍ଣ ୧୨.୪୫ରେ ଦିଲ୍ଲୀ ବିମାନ ବନ୍ଦରରେ ଉକ୍ତ ବିମାନଟି ନିରାପଦରେ ଅବତରଣ କରିଥିଲା। ଏ ସଂକ୍ରାନ୍ତରେ ବିବୃତି ଦେଇ ‘ଇଣ୍ଡିଗୋ’ କହିଛି, ଡିବ୍ରୁଗଡ଼ରୁ ଦିଲ୍ଲୀ ଯାଉଥିବା ବିମାନ ‘୬ଇ ୨୦୩୭’ରେ ଯାଉଥିବା ଜଣେ ଯାତ୍ରୀଙ୍କ ମୋବାଇଲ୍‌ ଫୋନ୍‌ରୁ ଧୂଆଁ ବାହାରିଥିଲା। ଦୁର୍ବିପାକ ଘଟାଇବା ଭଳି ଘଟଣା ପରିଚାଳନା ନିମନ୍ତେ ତାଲିମ ପାଇଥିବା ବିମାନ ପରିଚାରକମାନେ ତୁରନ୍ତ ପରିସ୍ଥିତିର ମୁକାବିଲା କରିଥିଲେ। ବିମାନରେ ଯାତ୍ରା କରୁଥିବା କୌଣସି ଯାତ୍ରୀ ଏହି ଘଟଣାରେ ଆହତ ହୋଇ ନାହାନ୍ତି।

ସମ୍ବନ୍ଧିତ ଖବର