ନୂଆଦିଲ୍ଲୀ: ଶୀତଦିନେ କୁହୁଡ଼ି କାରଣରୁ ବିମାନ ବିଳମ୍ବ ହେବା ଏକ ନୀତିଦିନିଆ ଘଟଣାରେ ପରିଣତ ହୋଇଛି। ଏଥିଯୋଗୁ ଯାତ୍ରୀଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ୁଛି। ଏପରିକି ଦୀର୍ଘସମୟ ଧରି ବିମାନ ଭିତରେ ଅଟକି ରହିବା ଫଳରେ ଯାତ୍ରୀମାନେ ରାଗି ପାଇଲଟଙ୍କୁ ପିଟିବା ଭଳି ପରିସ୍ଥିତି ସୃଷ୍ଟି ହେଲାଣି। ଏଭଳି ସ୍ଥିତିରେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ମୁମ୍ବାଇ ବିମାନ ବନ୍ଦରର ରନୱେରେ ଯାତ୍ରୀମାନେ ବସିକରି ଖାଇଛନ୍ତି। ସେହି ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହୋଇଛି। ଏହାପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ଇଣ୍ଡିଗୋ ଏବଂ ମୁମ୍ବାଇ ବିମାନ ବନ୍ଦରକୁ ନୋଟିସ୍‌ ଜାରି ହୋଇଛି। ମଙ୍ଗଳବାର ତୁରନ୍ତ ରିପୋର୍ଟ ଦେବାକୁ ସେମାନଙ୍କୁ କୁହାଯାଇଛି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯଦି ଉତ୍ତର ନମିଳେ ତାହେଲେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏପରିକି ଜରିମାନା ମଧ୍ୟ ଲାଗୁ ହେବ ବୋଲି ମନ୍ତ୍ରାଳୟ ପକ୍ଷରୁ ସତର୍କ କରାଇ ଦିଆଯାଇଛି।

Advertisment

ଗତ ରାତିରେ ମନ୍ତ୍ରାଳୟର ଅଧିକାରୀମାନଙ୍କ ସହିତ ବେସାମରିକ ବିମାନ ଚଳାଚଳ ବିଭାଗ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ବୈଠକ କରିବା ପରେ ଆଜି ସକାଳୁ ଏହି କାରଣ ଦର୍ଶାଅ ନୋଟିସ ଜାରି ହୋଇଛି। ଏଭଳି ଘଟଣା ପାଇଁ ମନ୍ତ୍ରାଳୟ ପକ୍ଷରୁ ଇଣ୍ଡିଗୋ ଏବଂ ମୁମ୍ବାଇ ବିମାନ ବନ୍ଦରକୁ ଦାୟୀ କରାଯାଇଛି। ଯାତ୍ରୀମାନଙ୍କ ପାଇଁ ଉପଯୁକ୍ତ ସୁବିଧା ଯୋଗାଇ ଦିଆ ନଯିବା କାରଣରୁ ସେମାନଙ୍କ ଉପରେ ଦୋଷ ଲଦାଯାଇଛି। ଯାତ୍ରୀମାନଙ୍କ ଦୁର୍ଦ୍ଦଶା ବଢ଼ିବାର କାରଣ ହେଲା ବିମାନଟିକୁ ଦୂରସ୍ଥା‌ନରେ ଥିବା ସି-୩୩ ରହଣି ସ୍ଥାନ ପ୍ରଦାନ କରାଯାଇଥିଲା। ଏହା ପରିବର୍ତ୍ତେ ବିମାନଟିକୁ ଏକ କଣ୍ଟାକ୍ଟ ଷ୍ଟାଣ୍ଡ୍‌ ମିଳିବାର ଆବଶ୍ୟକତା ଥିଲା। ଏହା ହୋଇଥିଲେ ଯାତ୍ରୀମାନେ ବିମାନବନ୍ଦରରେ ବିଶ୍ରାମକକ୍ଷ ଏବଂ ଜଳପାନ ଭଳି ମୌଳିକ ସୁବିଧା ପାଇପାରିଥାନ୍ତେ ବୋଲି ସରକାରଙ୍କ ନୋଟିସରେ କୁହାଯାଇଛି। ଇଣ୍ଡି‌ଗୋ ଏହାର ଯାତ୍ରୀମାନଙ୍କୁ ୬ଇ ୨୧୯୫ ବିମାନରୁ ବାହାରକୁ ଆଣିଥିଲା। ତାହାପରେ ସେମାନଙ୍କୁ ୬ଇ ୨୦୯୧ ବିମାନରେ ଗତକାଲି ଚଢ଼ାଇଥିଲା। ଏଥିରେ ସୁରକ୍ଷା ଯାଞ୍ଚ ବ୍ୟବସ୍ଥା ଅନୁସରଣ କରାଯାଇନାହିଁ। ପୁନଶ୍ଚ ବ୍ୟୁରୋ ଅଫ୍ ସିଭିଏ ଏଭିଏସନ ସିକ୍ୟୁରିଟିକୁ ଏ ସଂପର୍କରେ ଅପରେଟର ସୂଚନା ଦେଇ ନଥିଲା। ଏହା ବିମାନ ସୁରକ୍ଷା ନିୟମ ୨୦୨୩ର ଉଲ୍ଲଂଘନ କରୁଛି ବୋଲି କାରଣ ଦର୍ଶାଅ ନୋଟିସରେ କୁହାଯାଇଛି।