ମୁମ୍ବାଇ: ଗତ ଆର୍ଥିକ ବର୍ଷରେ ପଶ୍ଚିମ ରେଳବାଇ ଚଳାଚଳ କରାଉଥିବା ଟ୍ରେନ୍ଗୁଡ଼ିକରୁ ଯାତ୍ରୀମାନେ ଅଢ଼େଇ କୋଟି ଟଙ୍କା ମୂଲ୍ୟର ବିଛଣାପତ୍ର ଏବଂ ଅନ୍ୟାନ୍ୟ ଜିନିଷ ଚୋରାଇ ନେଇଛନ୍ତି ବୋଲି ଗୁରୁବାର ଦିନ ଜଣେ ଅଧିକାରୀ କହିଛନ୍ତି।
ସୋମବାର ଦିନ ଜଣେ ଯାତ୍ରୀ ଶୀତତାପ ନିୟନ୍ତ୍ରିତ କୋଚ୍ରୁ କମ୍ବଳ ଓ ବେଡ୍ସିଟ୍ ଚୋରାଇ ନେବା ସମୟରେ ଧରାପଡ଼ିବାରୁ ଏ ସବୁ କଥା ଲୋକଲୋଚନକୁ ଆସିଛି।
ସୋମବାର ଦିନ ମଧ୍ୟପ୍ରଦେଶ ଅନ୍ତର୍ଗତ ରତଲାମ୍ ରେଳବାଇ ଷ୍ଟେସନ୍ ଠାରେ ବାନ୍ଦ୍ରା-ଅମୃତସର ପଶ୍ଚିମ ଏକ୍ସ୍ପ୍ରେସ୍ରୁ ଓହ୍ଲାଇ ଥିବା ଶବିର୍ ରୋଟିଓ୍ଵାଲାଙ୍କ ବ୍ୟାଗ୍ରୁ ତିନୋଟି କମ୍ବଳ, ତିନୋଟି ତକିଆ ଓ ଛଅଟି ବେଡ୍ସିଟ୍ ଜବତ କରାଯିବା ପରେ ତାଙ୍କୁ ଗରିଫ କରାଯାଇଛି ବୋଲି ଜଣେ ରେଳବାଇ ପୁଲିସ ଅଧିକାରୀ କହିଛନ୍ତି।
୨୦୧୭-୧୮ ବର୍ଷରେ ପ୍ରାୟ ୧. ୯୫ ଲକ୍ଷ ତଉଲିଆ, ୮୧, ୭୩୬ ବେଡ୍ସିଟ୍, ୫୫, ୫୭୩ ତକିଆ ଖୋଳ, ୫, ୦୩୮ ତକିଆ ଏବଂ ୭, ୦୪୩ କମ୍ବଳ ପାସେଞ୍ଜର୍ ଟ୍ରେନ୍ଗୁଡ଼ିକରୁ ଚୋରି ହୋଇଥିବା କଥା ପଶ୍ଚିମ ରେଳବାଇ ଜଣାଇଛି।
ଚୋରି ହୋଇଥିବା ଜିନିଷର ମୂଲ୍ୟ ପ୍ରାୟ ୨. ୫ କୋଟି ଟଙ୍କା ହେବ। ଏହାଛଡ଼ା ଯାତ୍ରୀ ଓ ପ୍ରତିବାଦକାରୀମାନେ ମଧ୍ୟ ରେଳବାଇର କିଛି ସମ୍ପତ୍ତି ନଷ୍ଟ କରିଛନ୍ତି।
ବିଛଣାପତ୍ର ଛଡ଼ା ଟ୍ରେନ୍ ଟଏଲେଟ୍ରୁ ବାଥ୍ ଫିଟିଙ୍ଗ୍ସ୍ ମଧ୍ୟ ଚୋରି ହୋଇଛି। ଗତ ତିନି ଆର୍ଥିକ ବର୍ଷରେ ପ୍ରାୟ ୪, ୦୦୦ କୋଟି ଟଙ୍କା କ୍ଷତି ହୋଇଛି ବୋଲି ରେଳବାଇ ଅଧିକାରୀଜଣକ କହିଛନ୍ତି।