୪୦୦ ରେଳଷ୍ଟେସନରେ ମିଳିବ ମାଟିପାତ୍ରରେ ଚା

ନୂଆଦିଲ୍ଲୀ: ଏଣିକି ରେଳ ଷ୍ଟେସନ ଓ ଟ୍ରେନରେ ମିଳିବ ମାଟି ପାତ୍ରରେ ଚା | କେବଳ ଚା ନୁହେଁ ବରଂ ମାଟିରେ ନିର୍ମିତ ପାତ୍ରରେ ଲସି ଓ ଅନ୍ୟାନ୍ୟ ଖାଦ୍ୟ ମଧ୍ୟ ମିଳିବ | ପ୍ରଥମ ପର୍ଯ୍ୟାୟରେ ୪୦୦ ଷ୍ଟେସନରେ ଏହି ବ୍ୟବସ୍ଥା କାର୍ଯ୍ୟକାରୀ ହେବାକୁ ଥିବାବେଳେ ରେଳ ମନ୍ତ୍ରାଳୟ ପ୍ଲାଷ୍ଟିକମୁକ୍ତ ଅଭିଯାନକୁ ବ୍ୟାପକ କରିବାକୁ ନିଷ୍ପତ୍ତି ନେଇଛି | ଏହି ପଦକ୍ଷେପ ଦ୍ୱାରା ପରିବେଶ ଅନୁକୂଳ ସାମଗ୍ରୀକୁ ପ୍ରୋତ୍ସାହନ ମିଳିବା ସହ ପ୍ଲାଷ୍ଟିକ ବ୍ୟବହାର ଉପରେ ରୋକ ଲଗାଇହେବ | ଏହାସହ ମାଟି ପାତ୍ର ବ୍ୟବହାର କରାଯିବା ଦ୍ୱାରା କୁମ୍ଭାରମାନଙ୍କର ଆୟ ମଧ୍ୟ ବଢିବ ବୋଲି ଆଶା କରାଯାଉଛି |

ପ୍ରଥମ ପର୍ଯ୍ୟାୟରେ ୨ କୋଟି ମାଟିପାତ୍ର ପ୍ରସ୍ତୁତ କରାଯିବାର ଯୋଜନା କରାଯାଇଛି | ଏଠାରେ ସୂଚନା ଥାଉ କି ରେଳ ଷ୍ଟେସନ, ବିମାନ ବନ୍ଦର ଓ ବସ୍‌ଷ୍ଟାଣ୍ଡ୍‌ଗୁଡ଼ିକରେ ମାଟି ପାତ୍ରରେ ଚା’ ପରଷିବାକୁ ବାଧ୍ୟତାମୂଳକ କରିବା ଲାଗି କେନ୍ଦ୍ର ରେଳ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲଙ୍କୁ ଏକ ପତ୍ର ଲେଖି ପରିବହନ ମନ୍ତ୍ରୀ ନୀତୀନ ଗଡ଼କରୀ ଅନୁରୋଧ କରିଥିଲେ ।

ସେ ଲେଖିଥିଲେ ଯେ, ୧୦୦ ରେଳ ‌ଷ୍ଟେସନ ସହିତ ବିମାନ ବନ୍ଦର ଓ ଚା’ ଷ୍ଟଲ୍‌ ଥିବା ବସ୍‌ ଷ୍ଟାଣ୍ଡ୍‌ଗୁଡ଼ିକ ଲାଗି ମାଟି ପାତ୍ର ବାଧ୍ୟତାମୂଳକ କରାଯାଉ। ଯାହାକୁ ରେଳ ମନ୍ତ୍ରୀ ସ୍ୱୀକୃତି ଦେଇଥିଲେ | ମା‌ଟି ପାତ୍ରରେ ଚା’ ଦେବା ଲାଗି ମଲ୍‌ଗୁଡ଼ିକୁ ମଧ୍ୟ ଉତ୍ସାହିତ କରାଯାଉ ବୋଲି ଗଡକରୀ ଅନୁରୋଧ କରିଥିଲେ। ମାଟି ପାତ୍ର ପରିବେଶ ଅନୁକୂଳ ହୋଇଥିବା ବେଳେ ଏହାର ବ୍ୟବହାର ବଢ଼ିଲେ ପ୍ଲାଷ୍ଟିକ୍ ଓ କାଗଜର ବ୍ୟବହାର ଆପେ କମିଯିବ ବୋଲି ପତ୍ରରେ ଉଲ୍ଲେଖ କରିଥିଲେ |

ସମ୍ବନ୍ଧିତ ଖବର