ଚକଲେଟ ନବୀନ: ୭୨ କିଲୋ ଚକଲେଟରେ ନବୀନଙ୍କ ପ୍ରତିମୂର୍ତ୍ତି ନିର୍ମାଣ କଲେ ରାକେଶ ଓ ତାଙ୍କ ଟିମ

ଝଲସିଲା ହକି ପ୍ରତି ନବୀନଙ୍କ ସମର୍ଥନ

ଭୁବନେଶ୍ୱର: ଆଜି ୭୬ ବର୍ଷରେ ପାଦ ଦେଇଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ଆଉ ନବୀନଙ୍କୁ ଜନ୍ମଦିନରେ ନିଆରା ଶୁଭେଚ୍ଛା ଜଣାଇବା ପାଇଁ ଜଣେ ଚକଲେଟ କାରିଗର ଏକ ଅଭିନବ ପ୍ରୟାସ କରିଛନ୍ତି | ମୁଖ୍ୟମନ୍ତ୍ରୀଙ୍କ ଜନ୍ମଦିନକୁ ସ୍ମରଣୀୟ କରିବା ପାଇଁ ଭୁବନେଶ୍ୱରର ରାକେଶ କୁମାର ସାହୁ ୭୨ କିଲୋଗ୍ରାମରେ ଚକୋଲେଟରେ ମୂର୍ତ୍ତି ତିଆରି କରିଛନ୍ତି | ରାକେଶଙ୍କ ସହ ୬ ଜଣ ସଦସ୍ୟ ମିଶି ଏହି ଚକଲେଟ ମୂର୍ତ୍ତି ନିର୍ମାଣ କରିଥିବାବେଳେ ଏହାର ଉଚ୍ଚତା ଅଢେଇ ଫୁଟ ରହିଛି | ଭୁବନେଶ୍ୱରର ଟଙ୍କପାଣି ରୋଡରେ ବେକିଂ ଏବଂ ପେଷ୍ଟ୍ରି କଳା ଶିକ୍ଷା ଦେବା ପାଇଁ ଏକ ଅନୁଷ୍ଠାନ ପ୍ରତିଷ୍ଠା କରିଥିବା ରାକେଶ ସାହୁ ନିଜର ୬ ଜଣ ଛାତ୍ରଙ୍କ ସହାୟତାରେ ଏହି ମୂର୍ତ୍ତି ନିର୍ମାଣ କରିଥିଲେ।

ସମ୍ବାଦକୁ ରାକେଶ କହିଛନ୍ତି ଯେ ମୂର୍ତ୍ତି ନିର୍ମାଣର ପ୍ରକ୍ରିୟା ଅକ୍ଟୋବର ୩ ତାରିଖରୁ ଆରମ୍ଭ ହୋଇଥିଲା | ଆଉ ଚକଲେଟ ମୂର୍ତ୍ତି ନିର୍ମାଣ ପାଇଁ ପ୍ରାୟ ୧୪ ଦିନ ଲାଗିଥିଲା | ତେବେ ଚକଲେଟରେ ମୂର୍ତ୍ତି ନିର୍ମାଣ ସମୟରେ ଏକ ନିର୍ଦ୍ଦିଷ୍ଟ ତାପମାତ୍ରା(୧୮ ଡିଗ୍ରିରୁ ୨୦ ଡିଗ୍ରି) ରଖିବା ଜରୁରୀ ହୋଇଥାଏ | ହୋଟେଲ ମ୍ୟାନେଜମେଣ୍ଟରେ ଗ୍ରାଜୁଏସନ କରିଥିବା ରାକେଶ ଫାଇନ ପେଷ୍ଟ୍ରି ଆର୍ଟରେ ସ୍ୱତନ୍ତ୍ର ତାଲିମ ନେଇଛନ୍ତି |

ରାକେଶ କହିଛନ୍ତି ଯେ ଗତ କିଛି ବର୍ଷ ମଧ୍ୟରେ ଭାରତୀୟ ହକି ପ୍ରତି ନବୀନଙ୍କର ନିରନ୍ତର ସମର୍ଥନ ପାଇଁ ସେ ଏହି ମୂର୍ତ୍ତି ନିର୍ମାଣ କରିବାର ସଂକଳ୍ପ ନେଇଥିଲେ | ଆଉ ସେଥିପାଇଁ ରାକେଶ ନବୀନଙ୍କ ସହ ଅଲିମ୍ପିକ ଓ ହକି ଷ୍ଟିକର ଚକଲେଟ ସ୍ୱରୂପ ନିର୍ମାଣ କରିଛନ୍ତି | ଆଜି ୩୨ ବର୍ଷୀୟ ରାକେଶଙ୍କ ଏହି ଚକଲେଟ କଳାକୃତିକୁ ରାଜ୍ୟ କ୍ରୀଡା ମନ୍ତ୍ରୀ ତୁଷାରକାନ୍ତି ବେହେରା ଉନ୍ମୋଚନ କରିଥିଲେ |

କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ କ୍ରୀଡା ସଚିବ ଆର ଭିନୀଲ କ୍ରିଷ୍ଣା ମଧ୍ୟ ଉପସ୍ଥିତ ଥିଲେ | ଏହାର ପ୍ରଦର୍ଶନୀ ଅବଧି ସମାପ୍ତ ହେବା ପରେ କୁନି କୁନି ପିଲାମାନଙ୍କ ମଧ୍ୟରେ ବ୍ୟବହୃତ ଚକୋଲେଟ୍ ବଣ୍ଟନ କରିବାକୁ କ୍ରୀଡା ବିଭାଗ ନିଷ୍ପତ୍ତି ନେଇଛି | ରାକେଶଙ୍କ ସହ ରଞ୍ଜନ ପରିଡା, ଆବୁତାର ଅଲ୍ଲୀ, ଶୁଭଲକ୍ଷ୍ମୀ ସାମଲ, ପୁଷ୍ପାଞ୍ଜଳି ନାୟକ ଓ ଅଙ୍କିତା ରଥ ପ୍ରମୁଖ ଟିମରେ ଥିଲେ |

ସମ୍ବନ୍ଧିତ ଖବର