ପରୀକ୍ଷା ପରେ ହିଁ ପତଞ୍ଜଳି ଔଷଧକୁ ଅନୁମତି ମିଳିପାରେ

ଲାଇସେନ୍ସ ଆବେଦନ ବେଳେ ‘କୋଭିଡ୍ ଉପଚାର’ କଥା ଉଲ୍ଲେଖ କରିନଥିଲେ
ବାବା ରାମଦେବଙ୍କ ବିରୋଧରେ ମାମଲା ରୁଜୁ କରିବେ ରାଜସ୍ଥାନ ସରକାର
ନୋଟିସ୍‌ କଲେ ଉତ୍ତରାଖଣ୍ଡ ଆୟୁଷ ମନ୍ତ୍ରାଳୟ

ନୂଆଦିଲ୍ଲୀ : ସାରା ବିଶ୍ବ ଏବେ କରୋନା ମହାମାରୀ ଟିକା ଅପ‌େକ୍ଷାରେ ରହିଛି। ମହାମାରୀ ଏହାର କାୟା ବିସ୍ତାର କରି ଚାଲିଥିବା ବେଳେ କେବଳ ଟିକା ଏବଂ ଔଷଧ ହିଁ ଏକମାତ୍ର ସମାଧାନର ବାଟ। ଏଭଳି ଏକ ଗୁରୁତ୍ବପୂର୍ଣ୍ଣ ସମୟରେ ଯୋଗଗୁରୁ ବାବା ରାମଦେବ ଦେଶକୁ ଏକ ନୂଆ ଔଷଧ ‘କରୋନିଲ୍‌’ ଦେଇଛନ୍ତି। ଆୟୁଷ ମନ୍ତ୍ରୀ ଶ୍ରୀପଦ ନାୟକ କହିଛନ୍ତି, ବାବା ରାମଦେବ ଦେଶକୁ ଏକ ନୂଆ କରୋନା ଔଷଧ ଦେବା ଭଲ କଥା କିନ୍ତୁ ‌ ଆବଶ୍ୟକ ପରୀକ୍ଷା ପରେ ହିଁ ଏହାର ବିକ୍ରି ହୋଇପାରିବ। ନିୟମ ଅନୁଯାୟୀ ଔଷଧ ପ୍ରଥମେ ଆୟୁଷ ମନ୍ତ୍ରାଳୟକୁ ଆସେ ବୋଲି ସେ କହିଛନ୍ତି। ଏହାର ଭଲଭାବେ ଯାଞ୍ଚ କରିବାପରେ ହିଁ ବିକ୍ରି ପାଇଁ ଅନୁମତି ମିଳିଥାଏ। ପୂର୍ବରୁ ପତଞ୍ଜଳି ଏହି ଔଷଧ ପାଇଁ ଲାଇସେନ୍ସ ନିମନ୍ତେ ଆବେଦନ କଲାବେଳେ ଏହାକୁ କରୋନା ଉପଚାର ପାଇଁ ଦର୍ଶାଇ ନଥିଲା। ଏହାକୁ କେବଳ ଏକ ରୋଗ ପ୍ରତିରୋଧ ଶକ୍ତିବର୍ଦ୍ଧକ ଭାବେ ଉପସ୍ଥାପନ କରାଯାଇଥିଲା। ଏବେ ଏ ବାବଦରେ ପତଞ୍ଜଳି ଯେଉଁ ରିପୋର୍ଟ ଦେଇଛି ତାହାର ବ୍ୟାପକ ପରୀକ୍ଷା ପରେ ହିଁ ଔଷଧ ବିକ୍ରି ପାଇଁ ଅନୁମତି ଦିଆଯିବ ବୋଲି ଶ୍ରୀପଦ ନାୟକ କହିଛନ୍ତି। ମନ୍ତ୍ରାଳୟ ପକ୍ଷରୁ ପତଞ୍ଜଳିଠାରୁ ଔଷଧ ପ୍ରସଙ୍ଗରେ ବିସ୍ତୃତ ବିବରଣୀ ମଗାଯାଇଛି। ଆୟୁଷ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି ଯେ ଲାଇସେନ୍ସ କେବଳ ରୋଗ ପ୍ରତିରୋଧକ ବଢ଼ାଉଥିବା କିଟ୍ ଏବଂ ଜ୍ବର ଔଷଧ ପାଇଁ ଦିଆଯାଇଥିଲା।

ରାଜସ୍ଥାନ ସରକାର ମଧ୍ୟ ଯୋଗଗୁରୁ ବାବା ରାମଦେବଙ୍କ ବିରୋଧରେ ଏକ ମାମଲା ରୁଜୁ କରିବେ ବୋଲି କହିଛନ୍ତି। ସରକାରଙ୍କ ବିନା ଅନୁମତିରେ ଯୋଗଗୁରୁ ରାମଦେବ ରାଜ୍ୟର କରୋନା ରୋଗୀଙ୍କ ଶୀରରେ କରୋନିଲ୍‌ ଔଷଧର କ୍ଲିନିକାଲ୍‌ ପରୀକ୍ଷା କରିଥିବା କୁହାଯାଇଛି। ଅନ୍ୟପକ୍ଷେ ଉତ୍ତରାଖଣ୍ଡ ଆୟୁଷ ମନ୍ତ୍ରାଳୟ ମଧ୍ୟ ବାବା ରାମଦେବଙ୍କୁ ଏକ ନୋଟିସ କରିଛନ୍ତି।

ସମ୍ବନ୍ଧିତ ଖବର