ମୁମ୍ବାଇ: ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଭାବେ ବାଂଲାଦେଶରେ ଶାହାରୁଖ୍‌ ଖାନ୍‌ ଏବଂ ଦୀପିକା ପାଦୁକୋନ୍‌ଙ୍କ ଅଭିନୀତ ‘ୟଶ୍‌ରାଜ୍‌ ଫିଲ୍ମସ୍‌’ର ହିନ୍ଦୀ ଚଳଚ୍ଚିତ୍ର ‘ପଠାନ୍‌’ ରିଲିଜ୍‌ ହେବ ‌ବୋଲି ନିଉଜ୍‌ ପୋର୍ଟାଲ୍‌ ‘ଭେରାଇଟି’ ରିପୋର୍ଟ କରିଛି।

Advertisment

ସୂଚନାଯୋଗ୍ୟ, ୧୯୭୧ରେ ବାଂଲାଦେଶ ଗଠନ ହେବା ପରଠାରୁ ଭାରତର ବଲିଉଡ୍‌ରେ ନିର୍ମିତ ହିନ୍ଦୀ ଭାଷାର ଚଳଚ୍ଚିତ୍ର ସବୁ ବାଂଲାଦେଶରେ ରିଲିଜ୍‌ କରାଯାଇ ନାହିଁ। ବାଂଲାଦେଶର ସ୍ଥାନୀୟ ଚଳଚ୍ଚିତ୍ର ଶିଳ୍ପକୁ ବଞ୍ଚାଇ ରଖିବା ନିମନ୍ତେ ଏଭଳି କଟକଣା ଘୋଷଣା କରାଯାଇଥିଲା।

କିନ୍ତୁ, କଟକଣା କୋହଳ କରି ୨୦୦୯ରେ ସଲ୍‌ମାନ୍‌ ଖାନ୍‌ଙ୍କ ଅଭିନୀତ ‘ୱାଣ୍ଟେଡ୍‌’ ରିଲିଜ୍‌ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଯାଇଥିଲା। କିନ୍ତୁ, ସ୍ଥାନୀୟ ଚଳଚ୍ଚିତ୍ର ଶିଳ୍ପ ସଂଘ ପ୍ରତିବାଦ କରିବାରୁ ଗୋଟିଏ ସପ୍ତାହ ଧରି ୫୦ଟି ସିନେମା ହଲ୍‌ରେ ଚାଲିଥିବା ହିନ୍ଦୀ ଚଳଚ୍ଚିତ୍ର ‘ୱାଣ୍ଟେଡ୍‌’କୁ ପ୍ରତ୍ୟାହାର କରାଯାଇଥିଲା।

publive-image Image Courtesy of The Economic Times

ଦେଶରେ ହିନ୍ଦୀ ଭାଷାର ଚଳଚ୍ଚିତ୍ର ରିଲିଜ୍‌ କରାଯିବ ବୋଲି ଚଳିତ ବର୍ଷ ଫେବ୍ରୁଆରି ମାସରେ ୧୯ଟି ବାଂଲାଦେଶୀ ଚଳଚ୍ଚିତ୍ର ସଙ୍ଗଠନ ସଂଘର ନିଷ୍ପତ୍ତି ନେଇଥିଲା। ସେହି ନିଷ୍ପତ୍ତିକ୍ରମେ ଚଳିତ ବର୍ଷ ବାଂଲାଦେଶରେ ୧୦ଟି ହିନ୍ଦୀ ଚଳଚ୍ଚିତ୍ର ରିଲିଜ୍‌ ହେବ।

‘ୟଶ୍‌ ରାଜ ଫିଲ୍ମସ୍‌’ର ‘ଭି.ପି. ଇଣ୍ଟର୍‌ନ୍ୟାସ୍‌ନାଲ୍‌ ଡିଷ୍ଟ୍ରିବ୍ୟୁସନ୍‌’ର ନେଲ୍‌ସନ୍‌ ଡିସୌଜା କହିଛନ୍ତି, ଦେଶ-ଦେଶ, ଜାତି-ଜାତି ଏବଂ ସଂସ୍କୃତି-ସଂସ୍କୃତି ମଧ୍ୟରେ ଚଳଚ୍ଚିତ୍ର ସଦାସର୍ବଦା ସଂଯୋଗକାରୀ ଶକ୍ତି ହୋଇ ଆସିଛି। ଏହା ସୀମାସରହଦ ଅତିକ୍ରମ କରି, ଜନସାଧାରଣଙ୍କୁ ସମ୍ମିଳିତ କରିବା ସହିତ ଜନତାଙ୍କୁ ଏକତ୍ର କରିବାରେ ଗରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ। ବିଶ୍ବବ୍ୟାପୀ ସ୍ମରଣୀୟ ବ୍ୟବସାୟ କରିଥିବା ‘ପଠାନ୍‌’ ଏବେ ବାଂଲାଦେଶରେ ଦର୍ଶକମାନଙ୍କ ମନୋରଞ୍ଜନ କରିବ ଜାଣି ଆମେ ପୁଲକିତ।

ସେହି ଅନୁସାରେ, ମେ ୧୨ ତାରିଖରେ ସମଗ୍ର ବାଂଲାଦେଶରେ ପ୍ରଥମେ ରିଲିଜ୍‌ ହେବ ‘ପଠାନ୍‌’ ଚଳଚ୍ଚିତ୍ର।