ପଠାନକୋଟ୍‌ରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ଅମୃତସର: ପଠାନକୋଟ୍‌ରୁ ୪ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଛନ୍ତି। ସେନା ପୋଷାକରେ ଥିବା ଏହି ଆତଙ୍କବାଦୀମାନଙ୍କୁ ଗତକାଲି ପଠାନକୋଟ୍‌-ଜଲନ୍ଧର ଜାତୀୟ ରାଜପଥ ନିକଟସ୍ଥ ନଙ୍ଗଳପୁର ଗ୍ରାମରୁ ଗିରଫ କରାଯାଇଛି। ସୂଚନାଯୋଗ୍ୟ ପଞ୍ଜାବ ଏବଂ ଦିଲ୍ଲୀରେ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି ବୋଲି ଗତ କିଛି ଦିନ ପୂ‌ର୍ବେ ଗୁଇନ୍ଦା ବିଭାଗ ପକ୍ଷରୁ ସତର୍କ ସୂଚନା ଜାରି ହୋଇଥିଲା। ଗତ ୧୫ ଦିନ ପୂର୍ବେ ଅମୃତସରର ଏକ ପ୍ରାର୍ଥନା ସଭାରେ ଗ୍ରେନେଡ୍‌ ଆକ୍ରମଣ ହୋଇ ୩ ଜଣଙ୍କ ମୃତ୍ୟୁ ହୋଇ ଯାଇଥିଲା ଏବଂ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଥିଲେ। ତେବେ ପଠାନକୋଟ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚିଥିବା ନେଇ ଖବର ମିଳିବାପରେ ପଠାନକୋଟ୍‌-ଜଳନ୍ଧର ଜାତୀୟ ରାଜପଥର ସମସ୍ତ ଚେକ୍‌ପୋ‌ଷ୍ଟ୍‌ ଗୁଡ଼ିକରେ ପୁଲିସ ଯାଞ୍ଚ୍‌ କରିଥିଲା। ତେବେ ଏହି ସମୟରେ ସେନା ପୋଷାକରେ ଏକ ସ୍କୋର୍ପିଓରେ ଯାତ୍ରା କରୁଥିବା ୪ ଜଣ ସନ୍ଦିଗ୍ଧଙ୍କ ଉପରେ ପୁଲିସର ସନ୍ଦେହ ହେବାଫଳରେ ପୁଲିସ ସେମାନଙ୍କୁ ଗିରଫ କରିଛି ଏବଂ ହାଜତକୁ ନେଇ ପଚରାଉଚୁରା କରୁଛି। ସେମାନଙ୍କ ଗାଡ଼ି ମଧ୍ୟ ଜବତ ହୋଇଛି। ଅମୃତସରରେ ଜେଇଏମ୍‌ ଆତଙ୍କବାଦୀ ଜାକିର ମୁସା ଏକ ବଡ଼ ଧରଣର ଆତଙ୍କବାଦୀ କାଣ୍ଡ ଘଟାଇବା ପାଇଁ ଲୁଚି ରହିଛି ବୋଲି ପଞ୍ଜାବ ପୁଲିସ ପ୍ରକାଶ କରିଥିଲା। ପୁଲିସ ମଧ୍ୟ ଜାକିର ମୁସାର ଫଟୋ ଜାରି କରି ଲୋକମାନଙ୍କୁ ସଚେତନ ରହିବାକୁ କହିଥିଲା। ଗତକାଲି ମଧ୍ୟ ଅମୃତସରରେ ଜଣେ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ ହୋଇଥିଲା।

ସମ୍ବନ୍ଧିତ ଖବର