ମୋହାଲିରୁ ଗିରଫ ହେଲେ ପଟିଆଲା ସଂଘର୍ଷର ମୁଖ୍ୟ ଅଭିଯୁକ୍ତ ତଥା ଷଡ଼ଯନ୍ତ୍ରକାରୀ ବର୍‌ଜିନ୍ଦର୍‌ ସିଂହ ପରୱାନା

ନୂଆଦିଲ୍ଲୀ: ପଟିଆଲା ସଂଘର୍ଷର ମୁଖ୍ୟ ଅଭିଯୁକ୍ତ ତଥା ଷଡ଼ଯନ୍ତ୍ରକାରୀ ବର୍‌ଜିନ୍ଦର୍‌ ସିଂହ ପରୱାନାଙ୍କୁ ମୋହାଲିରୁ ଗିରଫ କରାଯାଇଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି। ଚଣ୍ଡୀଗଡ଼ ବିମାନ ବନ୍ଦର ଅଭିମୁଖେ ଯାଉଥିବା ବେଳେ ରାଜପୁରବାସୀ ପରୱାନାଙ୍କୁ ପୁଲିସ ଧରିଥିବା କଥା କୁହାଯାଉଛି।

ଶନିବାର ଦିନ ପଟିଆଲାର ନୂତନ ଆଇ.ଜି. ମୁଖୱିନ୍ଦର୍‌ ସିଂହ ଛିନା କହିଥିଲେ ଯେ, ଘଟଣାର ମୁଖ୍ୟ ଅଭିଯୁକ୍ତ ଏବଂ ଅନ୍ୟତମ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ବର୍‌ଜିନ୍ଦର ସିଂହ ପର୍‌ୱାନା। ତାଙ୍କୁ ଗିରଫ କରିବା ଲାଗି କେତେଗୁଡ଼ିଏ ପୁଲିସ ଟିମ୍‌ ଗଠନ କରାଯାଇଛି।

Image Courtesy of Feedoo

ସେ ଆହୁରି ମଧ୍ୟ କହିଥିଲେ ଯେ, ସମୁଦାୟ ୨୫ଜଣ ଅଭିଯୁକ୍ତଙ୍କ ମଧ୍ୟରୁ ହରିଶ ସିଙ୍ଗ୍‌ଲା, ଦଲଜୀତ୍‌ ସିଂହ ଏବଂ କୁଲ୍‌ଦୀପ ସିଂହଙ୍କୁ ଗିରଫ କରାଯାଇଛି।

୪ଜଣ ଆହତ ହୋଇଥିବା ଶୁକ୍ରବାରର ଉକ୍ତ ଘଟଣାରେ ପୁଲିସ ୬ଟି ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଛି। ଘଟଣା ବିରୋଧରେ ପ୍ରତିବାଦ ପ୍ରଦର୍ଶନ କରି କେତେକ ହିନ୍ଦୁ ସଂଗଠନ ବନ୍ଦ ଡାକରା ଦେଇଥିଲେ। ଫଳରେ ଶନିବାର ଦିନ ପଟିଆଲା ସହରର କେତେକ ବଜାର ବନ୍ଦ ରହିଥିଲା।

ଗୋଳମାଳ ଏବଂ ଶୁକ୍ରବାର ଘଟଣା ନିମନ୍ତେ ଯେଉଁମାନେ ଦାୟୀ ସେମାନଙ୍କୁ ଦୁଇ ଦିନ ମଧ୍ୟରେ ଗିରଫ କରାଯିବ ବୋଲି ପୁଲିସ ଓ ଜିଲ୍ଲା ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ କେତେକ ହିନ୍ଦୁ ସଙ୍ଗଠନର ପ୍ରତିନିଧିମାନେ ମନ୍ଦିର ବାହାରେ ଦେଇଥିବା ଧାରଣାରୁ ଉଠିଯିବା ସହ ପ୍ରସ୍ତାବିତ ପ୍ରତିବାଦ ପଦଯାତ୍ରା ସ୍ଥଗିତ ରଖିଥିଲେ।

ସମ୍ବନ୍ଧିତ ଖବର