ପାତିଆଲା ହିଂସା :  ପଂଜାବ କାର୍ଯ୍ୟକାରୀ ସଭାପତିଙ୍କୁ ଦଳରୁ ବହିଷ୍କାର କଲା ଶିବସେନା

ନୂଆଦିଲ୍ଲୀ :  ପଂଜାବର ପାତିଆଲାରେ ଆଜି ଶିବସେନା (ବାଲ ଠାକରେ) ଓ କେତେକ ଶିଖ ସଂଗଠନମାନଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ପରେ ଶିବସେନା ପକ୍ଷରୁ ପଂଜାବ କାର୍ଯ୍ୟକାରୀ ସଭାପତି ହରିଷ ସିଂଗଲାଙ୍କୁ ଦଳରୁ ବହିଷ୍କାର କରାଯାଇଛି । ତାଙ୍କ ସହିତ ଦଳର ଆଉ କେତେକ କର୍ମୀଙ୍କୁ ମଧ୍ୟ ବହିଷ୍କାର କରାଯାଇଛି । ଏ ସଂପର୍କରେ ଶିବସେନା ପଂଜାବର ସଭାପତି ଯୋଗରାଜ ଶର୍ମା ଏକ ପ୍ରେସ ବିଜ୍ଞପ୍ତି ଜାରି କରି ସୂଚନା ଦେଇଛନ୍ତି ।

ସୂଚନାଯୋଗ୍ୟ ଯେ ଏପ୍ରିଲ ୨୯କୁ ଖଲିସ୍ଥାନ ଆତଙ୍କବାଦୀମାନେ ଖଲିସ୍ଥାନ ସ୍ଥାପନା ଦିବସ ପାଳନ କରୁଛନ୍ତି । ଏହା ଉପଲକ୍ଷେ ଆତଙ୍କବାଦୀ ଗୁରପଟଓ୍ବାନ୍ତ ସିଂ ପନ୍ନୁ  ପଂଜାବ, ହରିୟାଣା ଓ ହିମାଚଳ ପ୍ରଦେଶରେ ଖଲିସ୍ତାନ ପତାକା ଲଗାଇବାକୁ ନିର୍ଦ୍ଦେଶ ଦେଇଥିଲା । ଏହା ବିରୋଧରେ ଶିବସେନା ପକ୍ଷରୁ ଶୋଭାଯାତ୍ରା ବାହାର କରାଯାଇଥିଲା । ଏଥିରେ ଖଲିସ୍ଥାନ ମୁର୍ଦ୍ଦାବାଦ ସ୍ଲୋଗାନ ଦିଆଯାଇଥିଲା । ଏହାର ବିରୋଧରେ କେତେକ ଶିଖ ସଂଗଠନ ରାସ୍ତାକୁ ଓହ୍ଲାଇ ସେମାନଙ୍କ ବିରୋଧ କରିବା ଖଣ୍ଡା ବୁଲାଇଥିଲେ । ଫଳରେ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହୋଇଯାଇଥିଲା ।

ଘଟଣାସ୍ଥଳରେ ପୁଲିସ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା । ଏପରିକି କେତେକ ବ୍ୟକ୍ତି ପୁଲିସ ସହିତ ଯୁକ୍ତିତର୍କ କରିଥିଲେ । ଶେଷରେ ପୁଲିସ ପକ୍ଷରୁ ବାଧ୍ୟ ହୋଇ ଗୁଳି ଚଳାଇବାକୁ ପଡ଼ିଥିଲେ । ତେବେ ଏହି ଗୁଳିଚାଳନାରେ କେହି ମୃତାହତ ହୋଇଥିବାର ଖବର ଏପର୍ଯ୍ୟନ୍ତ ଜଣାପଡ଼ିନାହିଁ ।

 

 

ସମ୍ବନ୍ଧିତ ଖବର