ପଟିଆଲା: ପଟିଆଲାରେ ଗତକାଲି ଖଲିସ୍ତାନ ବିରୋଧୀ ଶୋଭାଯାତ୍ରା ସମୟରେ ଶିବସେନା- ଖଲିସ୍ତାନୀ ସମର୍ଥକଙ୍କ ମଧ୍ୟରେ ଜୋରଦାର ସଂଘର୍ଷ ହୋଇଥିଲା। ସଂଘର୍ଷ ଯୋଗୁଁ ୪ ଜଣ ଆହତ ହୋଇଥିବା ବେଳେ ରାଜ୍ୟ ବ୍ୟାପୀ ଉତ୍ତେଜନା ଦେଖିବାକୁ ମିଳିଥିଲା। ଆଜି ଏହି ମାମଲାରେ ପଂଜାବ ସରକାର ରାଜ୍ୟ ପୁଲିସ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଜିଲ୍ଲାରେ ହିଂସା ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବାରୁ ୩ ଜଣ ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହୋଇଛି। ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ଙ୍କ ନିର୍ଦ୍ଦେଶକ୍ରମେ ପଟିଆଲା ଆଇଜି, ଏସ୍ଏସ୍ପି ଏବଂ ଏସ୍ପିଙ୍କର ବଦଳି ହୋଇଛି। ଗତକାଲି ସନ୍ଧ୍ୟାରେ ଜାରି ହୋଇଥିବା କର୍ଫ୍ୟୁ ଆଜି ସକାଳ ୬ଟାରେ ହଟାଯାଇଛି। ତେବେ ଜିଲ୍ଲାରେ ସୁରକ୍ଷା କଡ଼ାକଡ଼ି କରାଯିବା ସହ ବ୍ୟାପକ ପୁଲିସ କର୍ମୀ ମୁତୟନ ହୋଇଛନ୍ତି। ଡେପୁଟି କମିସନର ସାକ୍ଷୀ ସାହାଣୀ କହିଛନ୍ତି, ଜିଲ୍ଲାରେ ଶନିବାର ସକାଳ ୬.୩୦ରୁ ଇଣ୍ଟରନେଟ୍ ସେବା ଅସ୍ଥାୟୀ ଭାବେ ବନ୍ଦ ରହିଛି। ଶନିବାର ଦିନ ଅନେକ ଗୁଜବ ସୃଷ୍ଟି କରାଯାଇଥିଲା। ସେଥିପାଇଁ ଇଣ୍ଟରନେଟ୍ ବନ୍ଦ ରହିଛି ବୋଲି ସାହାଣୀ କହିଛନ୍ତି। ସରକାର ଆଗୁଆ ସୁରକ୍ଷା ପାଇଁ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ଏବଂ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି ବୋଲି ସେ କହିଛନ୍ତି। ଉକ୍ତ ଘଟଣାରେ ୩ ଜଣ ଗିରଫ ହୋଇଥିବା ବେଳେ ୩ଟି ଏତଲା ରୁଜୁ ହୋଇଛି। ମନ୍ଦିର ଉପରେ ଆକ୍ରମଣ ପାଇଁ ଗୋଟିଏ ମାମଲା ରୁଜୁ ହୋଇଥିବା ବେଳେ ଶିବସେନା କାର୍ଯ୍ୟକାରୀ ସଭାପତି ହରିଶ ସିଙ୍ଗ୍ଲାଙ୍କ ବିରୋଧରେ ଏକ ଏତଲା ରୁଜୁ ହୋଇଛି।
ଉଲ୍ଲେଖଯୋଗ୍ୟ, ପଂଜାବ ଶିବସେନା ‘ଖଲିସ୍ତାନ ମୁର୍ଦ୍ଦାବାଦ ଆନ୍ଦୋଳନ ଯାତ୍ରା’ ଆରମ୍ଭ କରିବା ସମୟରେ କାଳୀ ମାତା ମନ୍ଦିର ବାହାରେ ସଂଘର୍ଷ ଉପୁଜିଥିଲା। ଦୁଇ ଗୋଷ୍ଠୀ ପରସ୍ପର ଉପରେ ପଥର ମାଡ଼ କରିଥିଲେ ଏବଂ ଖଣ୍ଡା ବୁଲାଇଥିଲେ। ବିଶୃଙ୍ଖଳ ଜନତାକୁ ଘଉଡ଼ାଇବା ପାଇଁ ପୁଲିସ ଫାଙ୍କା ଗୁଳି ଚାଳନା କରିଥିଲା। ସ୍ଥିତି ଏବେ ନିୟନ୍ତ୍ରଣାଧୀନ ରହିଛି। ଗତରାତିରେ ଶିବସେନା ନେତା ହରିଶ ସିଙ୍ଗ୍ଲା ଗିରଫ ହୋଇଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/05/g6d5j465gd4jg65jd4g6j54gj65d.jpg)