ଆସିଲା ନାହିଁ ଆମ୍ବୁଲାନ୍ସ, ବୁଲଡୋଜରରେ ମେଡିକାଲରେ ପହଞ୍ଚିଲେ ଆହତ ଯୁବକ

ଭୋପାଳ: ବାରମ୍ବାର ଡାକିବା ପରେ ବି ଆସିଲା ନାହିଁ ଆମ୍ବୁଲାନ୍ସ | ଆଉ ଆହତ ଯୁବକଙ୍କୁ ବଞ୍ଚାଇବା ପାଇଁ ବୁଲଡୋଜରରେ ଡାକ୍ତରଖାନାକୁ ଆଣିଲେ ପରିବାର ଲୋକ | ମଧ୍ୟପ୍ରଦେଶରେ ସ୍ୱାସ୍ଥ୍ୟ ସେବାର ଏଭଳି ଏକ ବିକଳ ଚିତ୍ର ଦେଖିବାକୁ ମିଳିଛି | ମଧ୍ୟପ୍ରଦେଶର କାଟନି ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ମିଳିଥିବା ସୂଚନା ମୁତାବକ କାଟନି ଜିଲ୍ଲାର ବାରହା ଖାତାଉଲି ରାସ୍ତାରେ ଦୁଇଟି ବାଇକ୍ ମୁହାଁମୁହିଁ ଧକ୍କା ହୋଇଥିଲା | ଆଉ ଏଥିରେ ଜଣେ ବାଇକ ଆରୋହୀ ଗୁରତର ଆହତ ହୋଇଥିଲେ |

ତେବେ ଯୁବକଙ୍କୁ ଡାକ୍ତରଖାନା ନେବାକୁ ଆମ୍ବୁଲାନ୍ସକୁ ଫୋନ କରାଯାଇଥିଲା | କିନ୍ତୁ ଘଣ୍ଟା ଘଣ୍ଟା ଅପେକ୍ଷା କରିବା ପରେ ମଧ୍ୟ ଆମ୍ବୁଲାନ୍ସ ଆସିନଥିଲା। ଆଉ ଆହତ ଯୁବକଙ୍କ ଅବସ୍ଥା ବିଗିଡିବା ଦେଖି ସ୍ଥାନୀୟ ଲୋକ ଓ ପରିବାର ସଦସ୍ୟ ତାଙ୍କୁ ଜେସିବିର ଡାଲାରେ ଭର୍ତ୍ତି କରି ଡାକ୍ତରଖାନା ନେଇଥିଲେ। ଯାହାର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ତେବେ ବୁଲଡୋଜରରେ ଗୁରୁତର ଆହତ ଜଣକ ଠିକ ସମୟରେ ଡାକ୍ତରଖାନାରେ ପହଞ୍ଚିଥିବାରୁ ତାଙ୍କ ଜୀବନ ବଂଚିଯାଇଛି | ତେବେ ବଡ କଥା ଯେ କାଟନି ଜିଲ୍ଲା ଡାକ୍ତରଖାନା ପରିସରରେ ଲକ୍ଷ ଲକ୍ଷ ଟଙ୍କା ମୂଲ୍ୟର ଆମ୍ବୁଲାନ୍ସ ପଡି ରହି ଖତ ହେଉଥିବାବେଳେ ରୋଗୀମାନେ ଠିକ୍ ସମୟରେ ସୁବିଧା ପାଇପାରୁନାହାନ୍ତି | ଏହି ପ୍ରସଙ୍ଗରେ ସିଏମଏଚଓ ପ୍ରଦୀପ ମୁଦିଆ କହିଛନ୍ତି ଯେ ଏହି ମାମଲା ମୋ ନଜରକୁ ଆସିଛି। ଜିଲ୍ଲା ଡାକ୍ତରଖାନାରେ ପାର୍କିଂ ହୋଇଥିବା ଆମ୍ବୁଲାନ୍ସରେ କର୍ମଚାରୀ ନଥିବାରୁ ଏଗୁଡିକ ପଡ଼ିରହିଛି |

ସମ୍ବନ୍ଧିତ ଖବର