ଚେନ୍ନାଇ: ବୁଧବାର ଦିନ ଚେନ୍ନାଇର ଏକ ସରକାରୀ ଡାକ୍ତରଖାନାରେ ଜଣେ ରୋଗୀଙ୍କ ପୁଅ ଡାକ୍ତରଙ୍କୁ ଛୁରାମାଡ଼ କରିଥିବା ପୁଲିସ୍‌ କହିଛି। ଡାକ୍ତର ବାଲାଜୀ ୭ ଥର ଛୁରାମାଡ଼ ଖାଇ ଏବେ ଗୁୁରୁତର ଅବସ୍ଥାରେ ଚିକିତ୍ସିତ ହେଉଛନ୍ତି।

Advertisment

ଡାକ୍ତରଙ୍କୁ ଛୁରୀରେ ଆଘାତ କରିଥିବା ଚେନ୍ନାଇର ବାସିନ୍ଦା ବିଘ୍ନେଶଙ୍କୁ ଏବେ ଗିରଫ କରାଯାଇଛି ବୋଲି ଅଧିକାରୀମାନେ କହିଛନ୍ତି। ବିଘ୍ନେଶଙ୍କ ମାଆଙ୍କୁ ଯେଉଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା ସେ ସେଇଠାରେ ହିଁ ଏପରି କାଣ୍ଡ ଘଟାଇଥିବା ଜାଣିବାକୁ ମିଳିଛି।

ଏହି ଘଟଣା କାଲାଇଗନର ଶତାବ୍ଦୀ ହସ୍ପିଟାଲର କର୍କଟ ୱାର୍ଡରେ ଘଟିଥିଲା। ଆକ୍ରମଣ ପରେ ଭିଘ୍ନେଶ ପଳାଇବାକୁ ଚେଷ୍ଟା କରିଥିଲେ। ​​କିନ୍ତୁ ତାଙ୍କୁ ଧରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଥିଲା।

ଏହି ଘଟଣାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରି ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ କହିଛନ୍ତି ଯେ ଆହତ ଡାକ୍ତରଙ୍କୁ ଆବଶ୍ୟକ ଚିକିତ୍ସା ଯୋଗାଇ ଦିଆଯାଉ। ଏହାସହିତ ସେ ଘଟଣାର ବିସ୍ତୃତ ତଦନ୍ତ କରାଯିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି।

"ଏହା ଆଶ୍ଚର୍ଯ୍ୟଜନକ ଯେ ଗୁଇନ୍ଦା କାଲାଇଗାର୍ ଶତାବ୍ଦୀ ସୁପର ସ୍ପେସିଆଲିଟି ହସ୍ପିଟାଲରେ କାର୍ଯ୍ୟ କରୁଥିବା ଡକ୍ଟର ବାଲାଜୀ ଜଣେ ରୋଗୀଙ୍କ ପରିବାର ସଦସ୍ୟଙ୍କ ଦ୍ୱାରା ଛୁରାମାଡ଼ର ଶିକାର ‌ହୋଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଗିରଫ କରାଯାଇଛି। ସମସ୍ତ ଆବଶ୍ୟକୀୟ ଚିକିତ୍ସା ଦିଆଯିବାକୁ ମୁଁ ନିର୍ଦ୍ଦେଶ ଦେଇଛି। ଏହି ବିଷୟରେ ବିସ୍ତୃତ ଅନୁସନ୍ଧାନ କରାଯାଉ’’ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, "ସରକାରୀ ଡାକ୍ତରଖାନାରେ ରୋଗୀଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇବାରେ ଆମର ସରକାରୀ ଡାକ୍ତରଙ୍କ ନିସ୍ୱାର୍ଥପର କାର୍ଯ୍ୟ ଅତୁଳନୀୟ। ସେମାନଙ୍କ ସୁରକ୍ଷା ନିଶ୍ଚିତ କରିବା ଆମର କର୍ତ୍ତବ୍ୟ। ଭବିଷ୍ୟତରେ ଏଭଳି ଘଟଣାକୁ ରୋକିବା ପାଇଁ ସରକାର ସମସ୍ତ ପଦକ୍ଷେପ ନେବେ।"