ପାଟନାରେ ଡାକ୍ତର, ଚଣ୍ଡିଗଡ଼ରେ କଂଗ୍ରେସ କର୍ମୀଙ୍କ ଆନ୍ଦୋଳନ

ନୂଆଦିଲ୍ଲୀ: ତେଲେଙ୍ଗାନା ଡାକ୍ତରାଣୀ ଗଣଦୁଷ୍କର୍ମ ଓ ହତ୍ୟା ମାମଲା ଭଳି ଘୃଣ୍ୟ ଅପରାଧ ବିରୋଧରେ ତୀବ୍ର ଅସନ୍ତୋଷ ପ୍ରକାଶ କରି ଡାକ୍ତରମାନେ ଆଜି ପାଟନାରେ ଆନ୍ଦୋଳନ କରିଛନ୍ତି। ଆନ୍ଦୋଳନକାରୀମାନେ ଅପରାଧ ଘଟାଇଥିବା ଦୁଷ୍କର୍ମକାରୀ ବିରୋଧରେ ମୃତ୍ୟୁଦଣ୍ଡ ଦାବି କରିଛନ୍ତି। ଅନ୍ୟପକ୍ଷେ ଚଣ୍ଡିଗଡ଼ରେ ମଧ୍ୟ ଚଣ୍ଡିଗଡ଼ ପ୍ରଦେଶ ମହିଳା କଂଗ୍ରେସ କର୍ମୀମାନଙ୍କ ଦ୍ବାରା ଆନ୍ଦୋଳନ କରାଯାଇଛି। ସେମାନେ ଦୁଷ୍କର୍ମକାରୀକୁ ମୃତ୍ୟୁଦଣ୍ଡ ଦାବି କରିଛନ୍ତି। ସେହିପରି ତେଲେଙ୍ଗାନାରେ ସାଦନଗର ପୁଲିସ ଉକ୍ତ ମାମଲାରେ କୋର୍ଟରେ ଏକ ପିଟିସନ୍‌ ଦାଖଲ କରି ୪ ଅଭିଯୁକ୍ତଙ୍କୁ ୧୦ ଦିନ ରିମାଣ୍ଡ୍‌ରେ ନେବାପାଇଁ କହିଛି। ଉଲ୍ଲେଖଯୋଗ୍ୟ ଗତକାଲି ତେଲେଙ୍ଗାନାର ମୋସାରମବାଗ୍‌ ଅଞ୍ଚଳର ସ୍ଥାନୀୟ ଲୋକମାନେ ଏହି ଘୃଣ୍ୟ ଅପରାଧ ବିରୋଧରେ କ୍ୟାଣ୍ଡେଲଲାଇଟ୍‌ ଯାତ୍ରା କରିଥିଲେ। ସେମାନେ ମଧ୍ୟ ଅଭିଯୁକ୍ତକୁ ମୃତ୍ୟୁଦଣ୍ଡ ଦେବାପାଇଁ ଦାବି କରିଥିଲେ। ତେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ ଗତକାଲି ଏହି ମାମଲାର ବିଚାର ଫାଷ୍ଟ୍‌ ଟ୍ରାକ୍‌ କୋର୍ଟରେ କରିବାକୁ ଘୋଷଣା କରିଛନ୍ତି। ଅପରାଧୀ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି।

ସମ୍ବନ୍ଧିତ ଖବର