ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଅଳ୍ପ କିଛି ମାସ ବାକି ଥିବାବେଳେ ରାଜ୍ୟରେ ଗୋଟିଏ ପରେ ଗୋଟିଏ ହତ୍ୟା ଘଟଣା ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନ ଉଠାଇଛି। ଆଜି ୫ ଜଣ ସଶସ୍ତ୍ର ବ୍ୟକ୍ତି ବିହାରର ଏକ ହସ୍ପିଟାଲ୍ରେ ପଶି ହସ୍ପିଟାଲ୍ ଆଇସିୟୁରେ ଚିକିତ୍ସିତ ହେଉଥିବା ଜଣେ ଗ୍ୟାଙ୍ଗ୍ଷ୍ଟର୍ ଚନ୍ଦନ ମିଶ୍ରକୁ ଗୁଳିକରି ହତ୍ୟା କରିଛନ୍ତି। ସିସିଟିଭି କ୍ୟାମେରାରେ ପୂରା ଘଟଣା ରେକର୍ଡ ହୋଇଛି ଏବଂ ସମସ୍ତ ଆକ୍ରମଣକାରୀଙ୍କୁ ଚିହ୍ନଟ କରାଯାଇଛି। କୁଖ୍ୟାତ ଅପରାଧୀ ତୌସିଫ୍ ବାଦଶାହ ପ୍ରଥମେ ପିସ୍ତଲ ଧରି ଆଇସିୟୁରେ ପ୍ରବେଶ କରୁଥିବା ସିସିଟିଭିରେ ଦେଖିବାକୁ ମିଳିଛି। ଅପରାଧୀମାନଙ୍କୁ ଠାବ କରିବା ପାଇଁ ପୁଲିସର ଅଭିଯାନ ଜାରି ରହିଛି।
ସୂଚନାଯୋଗ୍ୟ, ଗ୍ୟାଙ୍ଗ୍ଷ୍ଟର୍ ଚନ୍ଦନ ବିରୋଧରେ ଅନେକ ହତ୍ୟା ମାମଲା ରହିଛି ଏବଂ ସେ ଅସୁସ୍ଥତା କାରଣ ପାଇଁ ପାରୋଲ୍ରେ ଜେଲ୍ରୁ ବାହାରକୁ ଆସିଥିଲା। ତାକୁ ପାଟନାର ପାରସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ହସ୍ପିଟାଲ୍ ପରିସରରେ ଏହି ଗୁଳିକାଣ୍ଡ ହୋଇଛି। ଗୁଳିମାଡ଼ରେ ଚନ୍ଦନର ମୃତ୍ୟୁ ହୋଇଛି। ଆଜି ହସ୍ପିଟାଲ ଗୁଳିକାଣ୍ଡ ପୁଣିଥରେ ଆଇନ ଶୃଙ୍ଖଳା ସ୍ଥିତିକୁ ନେଇ ପ୍ରଶ୍ନ ଉଠାଇଛି। ଗତ କିଛି ଦିନ ମଧ୍ୟରେ ବିହାରରେ ଗୋଟିଏ ପରେ ଗୋଟିଏ ହତ୍ୟା ଆଲୋଡ଼ନ ସୃଷ୍ଟି କରିଛି। ପ୍ରଖ୍ୟାତ ବ୍ୟବସାୟୀ ଗୋପାଳ ଖେମ୍କା, ବିଜେପି ନେତା ସୁରେନ୍ଦ୍ର କେୱଟ ଏବଂ ଆଇନଜୀବୀ ଜିତେନ୍ଦ୍ର ମାହାତୋ ଏବଂ ଜଣେ ବ୍ୟାଙ୍କ ମ୍ୟାନେଜରଙ୍କ ସମେତ ଗତ ୧୪ ଦିନ ମଧ୍ୟରେ ପ୍ରାୟ ୮ ଜଣ ପ୍ରମୁଖ ବ୍ୟକ୍ତିଙ୍କୁ ହତ୍ୟା କରାଗଲାଣି।
ଆଗକୁ ନିର୍ବାଚନ ଥିବାରୁ ନୀତୀଶ କୁମାରଙ୍କ ନେତୃତ୍ବାଧୀନ ବିଜେପି ସରକାରକୁ ଏବେ ଏହି ହତ୍ୟା ପ୍ରସଙ୍ଗରେ ବିରୋଧୀ ଆରଜେଡି ଓ କଂଗ୍ରେସ ଟାର୍ଗେଟ୍ କରୁଛନ୍ତି। ଆଜି ହସ୍ପିଟାଲ ଗୁଳିକାଣ୍ଡ ପ୍ରସଙ୍ଗରେ ଆରଜେଡି ନେତା ତେଜସ୍ବୀ ଯାଦବ ବିହାର ସରକାରଙ୍କୁ ପ୍ରଶ୍ନ କରିଛନ୍ତି ଯେ ରାଜ୍ୟରେ କିଏ ସୁରକ୍ଷିତ ଅଛନ୍ତି ତାହା ସରକାର କୁହନ୍ତୁ। ସରକାରଙ୍କ ସମର୍ଥିତ ଅପରାଧୀମାନେ ହସ୍ପିଟାଲ୍ ଆଇସିୟୁରେ ପଶି ଜଣେ ରୋଗୀଙ୍କୁ ହତ୍ୟା କରିଛନ୍ତି । ବିହାରରେ କୌଣସି ସ୍ଥାନରେ କୌଣସି ବ୍ୟକ୍ତି ସୁରକ୍ଷିତ ଅଛନ୍ତି କି ବୋଲି ସରକାରଙ୍କୁ ତେଜସ୍ବୀ ପ୍ରଶ୍ନ କରିଛନ୍ତି। ଏହି ଘଟଣାରେ ପ୍ରତିକ୍ରିୟା ରଖି ଉପମୁଖ୍ୟମନ୍ତ୍ରୀ ବିଜୟ ସିହ୍ନା ଆଶ୍ବସ୍ତ କରିଛନ୍ତି ଯେ ଅପରାଧୀଙ୍କୁ ଧରାଯିବ। ଏଭଳି ଘଟଣା ଅତ୍ୟନ୍ତ ଦୁର୍ଭାଗ୍ୟଜନକ। ଉକ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ହେବ ଏବଂ ଅପରାଧୀ ଛାଡ଼ ପାଇବେନି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଅପରାଧୀଙ୍କୁ ଧରାଯିବ ଏବଂ କଠୋର କାର୍ଯ୍ୟାନନୁଷ୍ଠାନ ଗ୍ରହଣ କରାଯିବ।