ଜୋମାଟୋରୁ ୧୦୦ ଟଙ୍କା ଫେରସ୍ତ ପାଇବାକୁ ଚେଷ୍ଟା କରି ୭୭ ହଜାର ଟଙ୍କା ହରାଇଲେ ପାଟନାର ଜଣେ ବ୍ୟକ୍ତି

ପାଟନା: ଜୋମାଟୋରେ ବରାଦ ଦେଇ ଥିବା ମାତ୍ର ୧୦୦ ଟଙ୍କାର ଖାଦ୍ୟ ଫେରାଇବାକୁ ଚେଷ୍ଟା କରି ପାଟନାର ଜଣେ ବ୍ୟକ୍ତି ତାଙ୍କ ଆକାଉଣ୍ଟ୍‌ରେ ଥିବା ସବୁ ଅର୍ଥ ହରାଇଛନ୍ତି। ତାଙ୍କ ଆକାଉଣ୍ଟ୍‌ରେ ସମୁଦାୟ ୭୭, ୦୦୦ ଟଙ୍କା ଥିଲା।

ବିଚିତ୍ର ଘଟଣାଟି ଘଟିଛି ବିହାରର ରାଜଧାନୀ ପାଟନାରେ। ବିଷ୍ଣୁ ନାମକ ଜଣେ ଇଞ୍ଜିନିୟର ଜୋମାଟୋ ଆପ୍‌ରେ ଖାଦ୍ୟ ପାଇଁ ବରାଦ ଦେଇଥିଲେ। ଡେଲିଭରି ବୟ ଖାଦ୍ୟ ଧରି ପହଞ୍ଚିବା ପରେ ସେ ଖାଦ୍ୟର ମାନ ତାଙ୍କ ମନକୁ ଗଲା ନାହିଁ। ସେ ତାକୁ ଫେରସ୍ତ ନେଇ ଯିବାକୁ କହିଲେ।

ଡେଲିଭରି ବୟ ବିଷ୍ଣୁଙ୍କୁ ଜୋମାଟୋ କଷ୍ଟମର୍‌ କେୟାର୍‌କୁ ଫୋନ୍‌ କରିବାକୁ ପରାମର୍ଶ ଦେବା ପରିବର୍ତ୍ତେ ‘ଜୋମାଟୋ କଷ୍ଟମର୍‌ କେୟାର୍‌’ର ଗୁଗଲ ସର୍ଚ କରିବାକୁ କହିଲେ। ଗୁଗଲ ସର୍ଚରେ ଆସିଥିବା ପ୍ରଥମ ନମ୍ବରକୁ ଡାଏଲ୍‌ କରିବା ପରେ ଆସୁଥିବା ନିର୍ଦେଶାବଳୀ ଅନୁସାରେ କାମ କରିବାକୁ ଡେଲିଭରି ବୟ ବିଷ୍ଣୁଙ୍କୁ କହିଲେ।

ନିର୍ଦେଶ ଆସିଲା ଫେରସ୍ତ ପ୍ରକ୍ରିୟା ପାଇଁ ତାଙ୍କ ଆକାଉଣ୍ଟ୍‌ରୁ ୧୦ ଟଙ୍କା କଟିବ। ତା’ପରେ କଲର୍‌ ୧୦ ଟଙ୍କା ଜମା କରିବାକୁ ବିଷ୍ଣୁଙ୍କ ପାଖକୁ ଏକ ଲିଙ୍କ୍‌ ପଠାଇଲେ। ନିର୍ବିଚାର ଭାବେ ବିଷ୍ଣୁ ସେ ଲିଙ୍କ୍‌ ଉପରେ କ୍ଲିକ୍‌ କରି ୧୦ ଟଙ୍କା ଜମା କରିଦେଲେ।

ଆଖି ପିଛୁଳାକେ ମଲ୍ଟିପ୍ଲ୍‌ ଟ୍ରାଞ୍ଜାକ୍‌ସନ୍‌ ହୋଇ ତାଙ୍କ ଆକାଉଣ୍ଟ୍‌ ଖାଲି ହୋଇ ସେଥିରୁ ୭୭ ହଜାର ଟଙ୍କା ଚାଲିଗଲା।

ଘଟଣାଟି ଘଟିଛି ସେପ୍ଟେମ୍ବର ୧୦ ତାରିଖ ଦିନ। ସେବେଠାରୁ ବିଷ୍ଣୁ ଥାନା, ବ୍ୟାଙ୍କ୍‌ ଏବଂ ଅନ୍ୟାନ୍ୟ କେତୋଟି ଫୋରମ୍‌ରେ ଯାଇ ଫେରାଦ ହେଉଛନ୍ତି, କିନ୍ତୁ କିଛି ସୁଫଳ ମିଳିନାହିଁ।

ସମ୍ବନ୍ଧିତ ଖବର