ଦେଶ ବିରୋଧୀ ଷଡ଼ଯନ୍ତ୍ର ଅଭିଯୋଗରେ ଆଉ ଜଣକୁ ଗିରଫ କଲା ବିହାର ପୁଲିସ

ପାଟନା : ଦେଶବିରୋଧୀ ଆତଙ୍କବାଦୀ କାର୍ୟ୍ୟକଳାପ ଓ ସାଂପ୍ରଦାୟିକ ସଂଘର୍ଷକୁ ପ୍ରେତ୍ସାହିତ କରୁଥିବା ଅଭିଯୋଗରେ ଆଉ ଜଣେ ବ୍ୟକ୍ତିକୁ ଗିରଫ କରିଛି ବିହାର ପୁଲିସ । ତାହାର ନାଁ ହେଉଛି ମାର୍ଗବ ଅହମ୍ମଦ ଦାନିସ ଓରଫ ତାହିର । ୨୦୨୩ରେ ସିଧାସଳଖ ଜିହାଦ ପାଇଁ ସେ ଲୋକମାନଙ୍କୁ ଉସୁକାଉଥିଲା ବୋଲି ପାଟନା ଏସଏସପି ଏସଏସ ଧିଲୋଁ ସୂଚନା ଦେଇଛନ୍ତି ।

ସେ ବିହାରର ଫୁଲଓ୍ବାରି ସରିଫର ଜଣେ ବାସିନ୍ଦା ଓ ସେ ୨୦୦୬ରୁ ୨୦୨୦ ପର୍ୟ୍ୟନ୍ତ ଦୁବାଇରେ କାମ କରୁଥିଲା । ସେ ଗଜଓ୍ବା-ଏ-ହିନ୍ଦ ଗ୍ରୁପର ସଦସ୍ୟ ଥିବା ଜଣାଯାଇଛି । ସେ ମଧ୍ୟ ଏକ ପାକିସ୍ତାନୀ ନମ୍ବରରେ ଏକ ହ୍ବାଟ୍ସଆପ ଗ୍ରୁପ ଚଳାଉଥିଲା ଓ ନିଜେ ତାହାର ଆଡମିନ ଥିଲା ।ଏହି ଗ୍ରୁପରେ ଉପସାଗରୀୟ ଦେଶର ଅନେକ ଲୋକ ରହିଛନ୍ତି ।

ଗତ କାଲି ବିହାର ପୁଲିସ ପିଏଫଆଇର ଏକ ବଡ଼ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିଥିଲା । ଆତଙ୍କବାଦୀ କାର୍ୟ୍ୟକଳାପ ଓ ଷଡ଼ଯନ୍ତ୍ର ପାଇଁ ଏକ ଆତଙ୍କି ମଡ୍ୟୁଲର ୨ ଜଣ ସଦସ୍ୟ ଅଥର ପରଭେଜ ଓ ମହମ୍ମଦ ଜଲାଲୁଦ୍ଦିନଙ୍କୁ ଗିରଫ କରାଯାଇଥିଲା । ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଜଲାଲୁଦ୍ଦିନ ପୂର୍ବରୁ ଝାଡ଼ଖଣ୍ଡ ପୁଲିସରେ ଜଣେ ଅଫିସର ଭାବେ କାମ କରୁଥିଲା । ସେ ପିଏଫଆଇର ସଦସ୍ୟମାନଙ୍କୁ ଅସ୍ତ୍ରଶସ୍ତ୍ର ତାଲିମ ପ୍ରଦାନ କରୁଥିଲା । ସେହିପରି ପରଭେଜ୍ ପୂର୍ବରୁ ସିମିର ସଦସ୍ୟ ଥିଲା । ଏବେ ସେ ପିଏଫଆଇର ସଦସ୍ୟ ଅଛି ।

ସମ୍ବନ୍ଧିତ ଖବର