ଶ୍ରୀନଗର: ଦେଶଭକ୍ତି ମନରୁ ଆସେ, ବାଧ୍ୟ କଲେ କିଛି ହୁଏ ନାହିଁ। 'ହର ଘର ତ୍ରିରଙ୍ଗା' ଅଭିଯାନରେ ଜମ୍ମୁ-କଶ୍ମୀରରେ ଲୋକଙ୍କୁ ନିଜ ଘର ବାହାରେ ତ୍ରିରଙ୍ଗା ଉଡ଼ାଇବାକୁ କୁହାଯାଇଛି। ତେବେ ଲୋକେ ନିଜ ଇଚ୍ଛାରେ ତ୍ରିରଙ୍ଗା କିଣି ଘର ବାହାରେ ଉଡ଼ାଇବା ଜରୁରୀ, ଏଥିପାଇଁ ସେମାନଙ୍କୁ ବାଧ୍ୟ କରାଯିବା ଉଚିତ ନୁହେଁ ବୋଲି କହିଛନ୍ତି ପିପୁଲ୍ସ ଡେମୋକ୍ରାଟିକ୍ ପାର୍ଟି (ପିଡିପି) ସଭାପତି ମେହବୁବା ମୁଫତି।
ରବିବାର ଦିନ ଜମ୍ମୁ କଶ୍ମୀର ପ୍ରଶାସନ 'ହର ଘର ତ୍ରିରଙ୍ଗା' ଅଭିଯାନର ଏକ ଅଂଶ ଭାବରେ ଜାତୀୟ ପତାକା କିଣିବାକୁ ଲୋକଙ୍କୁ ବାଧ୍ୟ କରୁଥିବା ଅଭିଯୋଗ କରିଛନ୍ତି ମୁଫତି। ନାଗରିକମାନଙ୍କୁ 'ଆଜାଦି କା ଅମ୍ରିତ ମହୋତ୍ସବ' ଅଧୀନରେ ୧୩ରୁ ୧୫ଅଗଷ୍ଟ ପର୍ଯ୍ୟନ୍ତ ନିଜ ଘରେ ଜାତୀୟ ପତାକା ଉତ୍ତୋଳନ କରିବାକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ମୁଫତି ଟ୍ୱିଟରରେ ସେୟାର କରିଥିବା ଏକ ଭିଡିଓରେ ଦେଖାଯାଇଛି ଯେ, ଦକ୍ଷିଣ କଶ୍ମୀରର ଅନନ୍ତନାଗ ଜିଲ୍ଲାର ବିଜବେହରା ପୌରପାଳିକାର ଏକ ଗାଡି ସାର୍ବଜନିକ ଘୋଷଣା କରୁଥିବା ଦେଖିବାକୁ ମିଳୁଛି। ଯେଉଁଥିରେ ସେହି ଅଞ୍ଚଳର ଦୋକାନୀମାନଙ୍କୁ ଏହି ଅଭିଯାନ ପାଇଁ ତ୍ରିରଙ୍ଗା କିଣିବା ଉଦ୍ଦେଶ୍ୟରେ ୨୦-୨୦ ଟଙ୍କା ଜମା କରିବାକୁ କୁହାଯାଉଛି।
The manner in which J&K admin is forcing students, shopkeepers & employees to pay for national flag to hoist it is as if Kashmir is an enemy territory that needs to be captured. Patriotism comes naturally & can’t be imposed. pic.twitter.com/FdMDBrouev
— Mehbooba Mufti (@MehboobaMufti) July 24, 2022
ଜମ୍ମୁ କଶ୍ମୀର ପ୍ରଶାସନ ଯେଉଁଭଳି ଭାବରେ ଛାତ୍ର, ଦୋକାନୀ ଏବଂ କର୍ମଚାରୀଙ୍କୁ ଜାତୀୟ ପତାକା ଉତ୍ତୋଳନ ପାଇଁ ଅର୍ଥ ଦେବାକୁ ବାଧ୍ୟ କରୁଛି, ଏଥିରୁ ଜଣାପଡୁଛି ଯେ କଶ୍ମୀର ହେଉଛି ଶତ୍ରୁର ଅଞ୍ଚଳ ଯାହା ଉପରେ କବଜା ଜରୁରୀ। ଦେଶଭକ୍ତି ମନରୁ ଆସେ, ବାଧ୍ୟ କଲେ କିଛି ହୁଏ ନାହିଁ। କଶ୍ମୀରରେ କରାଯାଇଥିବା ଘୋଷଣାରେ ସ୍ଥାନୀୟ ଲୋକଙ୍କୁ କୁହାଯାଇଥିଲା ଯେ ଯଦି ସେମାନେ ଏହି ଅଭିଯାନରେ ଯୋଗଦେବାକୁ ମନା କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।