ଅଗଷ୍ଟ ୭ରୁ ଆରମ୍ଭ ହେବ ପ୍ରଥମ ଅନ୍‌ଲାଇନ୍‌ ଦେଶାତ୍ମବୋଧ ଚଳଚ୍ଚିତ୍ର ଉତ୍ସବ

ନୂଆଦିଲ୍ଲୀ :  ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ ପ୍ରଥମ ଥର ପାଇଁ ଏକ ଅନ୍‌ଲାଇନ ଦେଶାତ୍ମବୋଧକ ଚଳଚ୍ଚିତ୍ର ଉତ୍ସବ ଆୟୋଜନ କରୁଛି । ଆସନ୍ତାକାଲିଠାରୁ ଏହା ଆରମ୍ଭ ହେବ । ଚଳିତବର୍ଷର ସ୍ୱାଧୀନତା ଦିବସ ପାଳନର ଏହା ଏକ ଅଂଶବିଶେଷ । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଆନୁକୂଲ୍ୟରେ ଏହା ଆୟୋଜିତ ହେଉଛି । ଅଗଷ୍ଟ ୭ରୁ ଆରମ୍ଭ ହୋଇ ଏହା ୩ ସପ୍ତାହ ଚାଲିବ ଏବଂ ଅଗଷ୍ଟ ୨୧ରେ ଉଦ୍‌ଯାପିତ ହେବ । ଏଥିରେ ଭାରତୀୟ ଇତିହାସରେ ସ୍ୱାଧୀନତା ସଂଗ୍ରାମୀମାନଙ୍କର ବୀରତ୍ୱର କାହାଣୀ ପ୍ରଦର୍ଶିତ ହେବା ସହିତ ସମଗ୍ର ବିଶ୍ୱରେ ଥିବା ଭାରତୀୟଙ୍କ ମଧ୍ୟରେ ଏକ ଦେଶାତ୍ମବୋଧକ ଓ ଉତ୍ସବଜନିତ ଭାବନା ସୃଷ୍ଟି କରିବାକୁ ଉଦ୍ୟମ କରାଯାଉଛି । ଦୈନିକ ଏଥିରେ ଅତି ଉଚ୍ଚମାନର ଦେଶାତ୍ମବୋଧ ଓ ସ୍ୱାଧୀନତା ଦିବସ ସଂକ୍ରାନ୍ତ ବାର୍ତ୍ତା ଥିବା ଚଳଚ୍ଚିତ୍ରମାନ ହିଁ ପ୍ରଦର୍ଶିତ ହେବ । ଏହାକୁ ବିନା ମୂଲ୍ୟରେ www.cinemasofindia.com ରେ   ଦେଖିହେବ ।

ହିନ୍ଦୀ, ମରାଠି, ତେଲୁଗୁ, ତାମିଲ, ବାଂଲା, ଗୁଜରାଟୀ, ମାଲାୟଲମ ସମେତ ବିଭିନ୍ନ ଭାରତୀୟ ଭାଷାରେ ନିର୍ମିତ ଉଚ୍ଚମାନର ଦେଶାତ୍ମବୋଧ ଚଳଚ୍ଚିତ୍ର ଏଥିରେ ସ୍ଥାନ ପାଇବ । ଜାତୀୟ ଚଳଚ୍ଚିତ୍ର ଉନ୍ନୟନ ନିଗମ, ଭାରତୀୟ ଜାତୀୟ ଚଳଚ୍ଚିତ୍ର ଅଭିଲେଖ, ଭାରତୀୟ ଶିଶୁ ଚଳଚ୍ଚିତ୍ର ସୋସାଇଟି ଏବଂ ଫିଲ୍ମ ଡିଭିଜନ ଆଦିରୁ ଏଥିପାଇଁ ଉତ୍ତମ ମାନର ଚଳଚ୍ଚିତ୍ରମାନ ବଛାଯାଇଛି ।

ଆହୁରି ମଧ୍ୟ ପ୍ରଥମଥର ପାଇଁ ୧୯୮୨ରେ ସାର୍‌ ରିଚାର୍ଡ ଆଟେନ୍‌ବରୋଙ୍କ ଦ୍ୱାରା ନିର୍ମିତ ଗାନ୍ଧୀ ଚଳଚ୍ଚିତ୍ର ଏଥିରେ ପ୍ରଦର୍ଶିତ ହେବ । ଦୃଶ୍ୟ ଓ ଶ୍ରବଣ ବାଧିତ ଲୋକମାନେ ମଧ୍ୟ ଏହି ଚଳଚ୍ଚିତ୍ର ଉପଭୋଗ କରିବାର ସୁବିଧା କରାଯାଇଛି ।

ଏଥିପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ୱେବସାଇଟ (mib.gov.in)ରେ ଏ ସଂକ୍ରାନ୍ତ ଲିଙ୍କ୍‌ ପ୍ରଦାନ କରାଯିବ । ଏହାଛଡା ପିଆଇବି ଦ୍ୱାରା ପରିଚାଳିତ ସୋସିଆଲ ମିଡିଆ ଓ ମାଇ ଗଭ୍‌ରେ ମଧ୍ୟ ଉପଲବ୍‌ଧ ହେବ । ଏହାଛଡା ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏହି ଲିଙ୍କକୁ ବିଭିନ୍ନ ଦେଶରେ ଥିବା ଭାରତୀୟ ଦୂତାବାସକୁ ଯୋଗାଇ ଦିଆଯିବ ।

ସମ୍ବନ୍ଧିତ ଖବର