ହାଇଦ୍ରାବାଦ: ରାଜନୈତିକ ସଂଗଠନ ଜନସେନାର ମୁଖ୍ୟ ତଥା ଅଭିନେତା ପବନ କଲ୍ୟାଣଙ୍କୁ “ପ୍ୟାକେଜ୍ ଷ୍ଟାର” ଭାବରେ ପରିହାସ କରୁଥିବା ଲୋକଙ୍କୁ କଟାକ୍ଷ କରି କଲ୍ୟାଣ କହିଛନ୍ତି ଯେ ଏପରି କହୁଥିବା ଲୋକଙ୍କୁ ମୁଁ ଚପଲରେ ପିଟିବି । ଆନ୍ଧ୍ରପ୍ରଦେଶର ତେଲଗୁ ଦେଶମ ପାର୍ଟି ସହିତ ମିଶି କାମ କରୁଥିବା ଅଭିଯୋଗ ଆଣି ଜଗନ୍ ରେଡ୍ଡୀଙ୍କ ୱାଇଏସଆର କଂଗ୍ରେସ୍ କଲ୍ୟାଣଙ୍କୁ ଟ୍ରୋଲ କରୁଛି।
ଗୁଣ୍ଟୁରର ମଙ୍ଗଳାଗିରିରେ ଏକ ସମାବେଶକୁ ସମ୍ବୋଧିତ କରି ପୱନ କଲ୍ୟାଣ କହିଛନ୍ତି, ଯେଉଁମାନେ ମୋତେ ‘ପ୍ୟାକେଜ୍ ଷ୍ଟାର୍’ ବୋଲି କହୁଛନ୍ତି, ମୁଁ ସେମାନଙ୍କୁ ଚପଲରେ ପିଟିବି। ” ସଭାରେ ହାତରେ ଏକ ଚପଲ ଧରି ସେ କହିଥିଲେ, “ ଯଦି ମୋତେ କେହି ପୁଣି ଥରେ 'ପ୍ୟାକେଜ୍ ଷ୍ଟାର୍' ବୋଲି ଡାକିବ, ମୁଁ ତାକୁ ଏହି ଚପଲରେ ପିଟିବି। ଏପରି ବକ୍ତବ୍ୟ ଶୁଣି ଉପସ୍ଥିତ ଲୋକେ ଓ ଜନସେନା କର୍ମୀ ଜୋରରେ ତାଳିମାଡ଼ କରିଥିଲେ।
ଗତ ସନ୍ଧ୍ୟାରେ ଫିଲ୍ମ ତାରକା ତଥା ରାଜନେତା ପୱନ୍ କଲ୍ୟାଣଙ୍କ ସମର୍ଥକମାନେ ସ୍ଥାନୀୟ ବିମାନବନ୍ଦରରେ ମନ୍ତ୍ରୀ, ସାଧାରଣ ନାଗରିକ ଏବଂ ପୋଲିସ୍ ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିବା ଅଭିଯୋଗ ହେବା ପରେ ବିଶାଖାପଟ୍ଟନମ୍ ପୁଲିସ ପକ୍ଷରୁ ତାଙ୍କୁ ନୋଟିସ୍ ପ୍ରଦାନ କରାଯାଇଥିଲା ବୋଲି ନ୍ୟୁଜ୍ ଏଜେନ୍ସି ପିଟିଆଇ ରିପୋର୍ଟ କରିଛି।
ଏହାପରେ କଲ୍ୟାଣଙ୍କୁ ତାଙ୍କ ହୋଟେଲ ରୁମରୁ ବାହାରକୁ ଯିବା ଏବଂ ନିର୍ଦ୍ଧାରିତ ‘ଜନ ବାଣୀ’ କାର୍ଯ୍ୟକ୍ରମ ପରିଚାଳନା କରିବା ଉପରେ ରୋକ ଲଗାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସେ ଲୋକଙ୍କ ଅଭିଯୋଗ ଶୁଣିଥାଆନ୍ତେ। ଫଳରେ ନିଜ ହୋଟେଲ ରୁମ ଝରକା ଦେଇ ରାସ୍ତାରେ ଛିଡା ହୋଇଥିବା ଦଳୀୟ କର୍ମୀ ଏବଂ ସମର୍ଥକଙ୍କୁ ଅଭିବାଦନ ଜଣାଇବାକୁ ବାଧ୍ୟ ହୋଇଥିଲେ।