ନୂଆଦିଲ୍ଲୀ: ତେଲୁଗୁ ଦେଶମ ପାର୍ଟିର( ଟିଡିପି) ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ବୁଧବାର ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ତାଙ୍କ ସହ ତାଙ୍କ କ୍ୟାବିନେଟର ଅନେକ ସଦସ୍ୟ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ନେଇଥିଲେ।
ଏହି ଶପଥ ଗ୍ରହଣ ସମାରୋହରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ଯୋଗ ଦେଇଥିଲେ। ଏହି ଅବସରରେ ଦକ୍ଷିଣର ସୁପରଷ୍ଟାର ପୱନ କଲ୍ୟାଣ ମଧ୍ୟ ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ। ପୱନ କଲ୍ୟାଣ ହେଉଛନ୍ତି ଜନସେନା ପାର୍ଟିର ପ୍ରତିଷ୍ଠାତା। ସେ ପିଥାପୁରମ୍ ବିଧାନସଭା ଆସନରୁ ବିଧାୟକ ଭାବରେ ନିର୍ବାଚିତ ହୋଇଛନ୍ତି।
ସେ ନାଇଡୁ କ୍ୟାବିନେଟରେ ଡେପୁଟି ସିଏମ୍ ହେବେ। ଚନ୍ଦ୍ରବାବୁ ନାଇଡୁଙ୍କ ପରେ ଶପଥ ଗ୍ରହଣ କରିଥିବା ପୱନ କଲ୍ୟାଣ ପ୍ରଥମେ ମଞ୍ଚରେ ଉପସ୍ଥିତ ଥିବା ସମସ୍ତଙ୍କୁ ଅଭିବାଦନ ଜଣାଇଥିଲେ। ଅଭିବାଦନ ପରେ ନିଜ ଆସନକୁ ଫେରି ଆସୁଥିବା ବେଳେ ମଞ୍ଚରେ ପ୍ରଧାନମନ୍ତ୍ରୀ ମୋଦୀ ଓ ତେଲୁଗୁ ଦେଶମ ପାର୍ଟିର( ଟିଡିପି) ସୁପ୍ରିମୋ ଏନ ଚନ୍ଦ୍ରବାବୁ ନାଇଡୁ ଥିବା ସତ୍ତ୍ବେ ସେ ତାଙ୍କ ବଡ଼ଭାଇ ଚିରଞ୍ଜୀବୀଙ୍କୁ ପ୍ରଥମେ ସମ୍ମାନ ଜଣାଇ ପାଦ ସ୍ପର୍ଶ କରିଥିଲେ। ଏହି ଘଟଣାର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯାହାକୁ ଦେଖିବା ପରେ ପୱନ କଲ୍ୟାଣଙ୍କ ତାଙ୍କ ଭାଇଙ୍କ ପ୍ରତି ଥିବା ସମ୍ମାନକୁ ଭୁରିଭୁରି ପ୍ରଶଂସା କରାଯାଉଛି।
ପୱନ କଲ୍ୟାଣ ୨୦୦୮ରେ ରାଜନୀତିରେ ପ୍ରବେଶ କରିଥିଲେ। ସେ ତାଙ୍କ ଭାଇ ଚିରଞ୍ଜୀବୀଙ୍କ ଦ୍ୱାରା ପ୍ରତିଷ୍ଠିତ ପ୍ରଜା ରାଜ ପାର୍ଟିର ଯୁବ ୱିଙ୍ଗର ସଭାପତି ଭାବରେ କାର୍ଯ୍ୟ କରିଥିଲେ।
୧୦ ବର୍ଷର ଦୀର୍ଘ ଅପେକ୍ଷା ପରେ ପାୱାର ଷ୍ଟାର ପୱନ କଲ୍ୟାଣ କଲ୍ୟାଣଙ୍କ ଭାଗ୍ୟ ବଦଳିଛି। ସେ ଗତ ୧୦ ବର୍ଷ ଧରି ରାଜନୀତିରେ ରହି କଠିନ ପରିଶ୍ରମ କରିଛନ୍ତି। ଦୁଇଥର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରି ହାରିଯାଇଥିବା ପୱନ କଲ୍ୟାଣ ତୃ୍ତୀୟଥରରେ ବିଜୟୀ ହୋଇଛନ୍ତି।