ହାଇଦ୍ରାବାଦ: ଲୋକପ୍ରିୟ ଦକ୍ଷିଣ ଭାରତୀୟ ଅଭିନେତା ତଥା ଜନସେନା ପାର୍ଟିର ଅଧ୍ୟକ୍ଷ ପବନ କଲ୍ୟାଣ ବିଜେପି ସହ ମେଣ୍ଟ କରିବାର ନିଷ୍ପତ୍ତି ନେଇଛନ୍ତି। ଗତକାଲି ଏନେଇ ଦଳ ପକ୍ଷରୁ ଔପଚାରିକ ଘୋଷଣା କରାଯାଇଛି। ଏହି ଅବସରରେ ପବନ କଲ୍ୟାଣ କହିଛନ୍ତି ଯେ, ଲୋକେ ଆନ୍ଧ୍ର ପ୍ରଦେଶରେ ଟିଡିପି ଏବଂ ଓ୍ୱାଇଏସ ଆରଏସ୍ ଆର କଂଗ୍ରେସ ପାର୍ଟି ସରକାରକୁ ବାଦ୍ ଦେଇ ଏବେ ତୃତୀୟ ବିକଳ୍ପ ଖୋଜୁଛନ୍ତି।
ବିଜେପି ଏବଂ ଜନସେନା ପାର୍ଟି ଆଗାମୀ ୨୦୨୪ ବିଧାନସଭା ନିର୍ବାଚନକୁ ଲକ୍ଷ୍ୟ ରଖି ଏକାଠି ରଣନୀତି ପ୍ରସ୍ତୁତ କରି କାମ କରିବେ ବୋଲି ସେ ସୂଚନା ଦେଇଛନ୍ତି। ବିଜେପି ସହ ହାତ ମିଳାଇ ଜନସେନା ପାର୍ଟି ପୌର ଏବଂ ପଞ୍ଚାୟତ ନିର୍ବାଚନ ବି ଲଢ଼ିବ ବୋଲି ପବନ କହିଛନ୍ତି।
ଏହି ଅବସରରେ ୨୦୨୪ରେ ଅନୁଷ୍ଠିତ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନରେ ଦୁଇ ଦଳ ଏକାଠି ଲଢିବେ ବୋଲି ରାଜ୍ୟ ବିଜେପି ସଭାପତି କନ୍ନା ଲକ୍ଷ୍ମୀନାରାୟଣ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ,ଏହି ମେଣ୍ଟର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ରାଜ୍ୟକୁ ରକ୍ଷା କରିବା ଏବଂ ରାଜ୍ୟର ବିକାଶପାଇଁ ଉଦ୍ୟମ କରିବା। ଓ୍ୱାଇଏସଆର୍ ସରକାର ଖୁବ କମ୍ ସମୟରେ ଲୋକଙ୍କ ଭରସା ହରାଇଛି ବୋଲି ସେ କହିଛନ୍ତି। ତେଣୁ ଲୋକଙ୍କ ନିକଟତର ହେବାକୁ ଦୁଇ ଦଳ ପକ୍ଷରୁ ପ୍ରୟାସ କରାଯିବ।
/sambad/media/post_attachments/f21c8ebb9c5b89de55ad755ce18ec2fcc0305f8e10b3ca8b5502fb7ef84c7b8e.jpg)
ଏହି ଘୋଷଣା ଅବସରରେ ବିଜେପିର ରାଜ୍ୟ ପ୍ରଭାରୀ ସୁନୀଲ ଦେଓଧର ଓ ଜିଭିଏଲ୍ ନରସିଂହା ରାଓ ପ୍ରମୁଖ ବି ଉପସ୍ଥିତ ଥିଲେ। ଦୁଇ ଦଳର ସଂଯୋଜନା ସମିତି ଖୁବ୍ ଶୀଘ୍ର ଗଠନ କରାଯିବ ବୋଲି ଜଣାଯାଇଛି।