କୋଲାକାତା: ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ପଶ୍ଚିମବଂଗର ଆସନସୋଲ ଆସନରୁ ଭୋଜପୁରୀ ଗାୟକ ତଥା ଅଭିନେତା ପୱନ ସିଂହଙ୍କୁ ପ୍ରାର୍ଥୀ କରାଯାଇଥିଲା। ତେବେ ପୱନ ଆଜି ଆସନସୋଲରୁ ପ୍ରାର୍ଥୀ ହେବାକୁ ମନା କରିଦେଇଛନ୍ତି। ଫଳରେ ଏହି ଆସନକୁ ନେଇ ବିଜେପିର ଅଡ଼ୁଆ ବଢ଼ିଛି । ବିଜେପି ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଉଦ୍ଦେଶ୍ୟରେ ଏକ୍ସରେ ଏକ ପୋଷ୍ଟରେ ସେ କହିଛନ୍ତି ଯେ କେତେକ କାରଣରୁ ସେ ନିର୍ବାଚନ ଲଢ଼ିପାରିବେ ନାହିଁ। ପୱନଙ୍କ ଏଭଳି ଆଭିମୁଖ୍ୟ ପଛରେ ଟିଏମ୍ସିର ଚାପ ରହିଥିବା କେତେକ ମହଲ ଦାବି କରୁଛନ୍ତି। ଟିଏମ୍ସି ପୱନଙ୍କ କେତେକ ଗୀତକୁ ଅଶ୍ଳୀଳ ଦର୍ଶାଇ ତାଙ୍କୁ ଘେରିବାକୁ ଯୋଜନା କରିବା ପରେ ସେ ଏଭଳି ପଦକ୍ଷେପ ନେଇଥିବା କୁହାଯାଇଛି। ପୱନ କହିଛନ୍ତି, ଭାରତୀୟ ଜନତା ପାର୍ଟିର ଶୀର୍ଷ ନେତୃତ୍ୱଙ୍କୁ ମୁଁ ହୃଦୟରୁ କୃତଜ୍ଞତା ଜଣାଉଛି। ଦଳ ମୋ ଉପରେ ବିଶ୍ୱାସ କରି ମୋତେ ଆସନସୋଲରୁ ପ୍ରାର୍ଥୀ ଘୋଷଣା କରିଥିଲା ବୋଲି ସେ କହିଛନ୍ତି। ଅନ୍ୟପକ୍ଷରେ ବିଜେପି ଦିଲ୍ଲୀ ଶାଖାକୁ ମଧ୍ୟ ଆଜି ଝଟ୍କା ଲାଗିଛି। ପୂର୍ବତନ କେନ୍ଦ୍ରମନ୍ତ୍ରୀ ହର୍ଷ ବର୍ଦ୍ଧନଙ୍କୁ ବିଜେପି ଏଥର ଟିକେଟ ଦେଇନଥିବା ବେଳେ ଆଜି ସେ ରାଜନୀତିରୁ ସନ୍ନ୍ୟାସ ନେଉଥିବା ଘୋଷଣା କରିଛନ୍ତି। ହର୍ଷ ବର୍ଦ୍ଧନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିଜେପି କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଦୀର୍ଘ ୩୦ ବର୍ଷ ଧରି ତାଙ୍କର ରଜନୈତିକ ଜୀବନରେ ସେ ଲୋକଙ୍କ କଲ୍ୟାଣ ପାଇଁ ସବୁ ପ୍ରୟାସ କରିଛନ୍ତି ବୋଲି କହିଛନ୍ତି।
Advertisment
Sambad is now on WhatsApp
Join and get latest news updates delivered to you via WhatsApp