ନୂଆଦିଲ୍ଲୀ: ନିର୍ବାଚନ ହାରିବା ପରେ ନିଜର ନୂଆ ଦଳ ଗଢ଼ିବେ ଭୋଜପୁରୀ ସୁପରଷ୍ଟାର ପବନ ସିଂ। ବିହାରର କାରକାଟ ଆସନରୁ ସ୍ବାଧୀନ ପ୍ରାର୍ଥୀ ଭାବରେ ୨୦୨୪ ଲୋକସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ପବନ। ଭୋଜପୁରୀ ଷ୍ଟାର ପ୍ରାର୍ଥୀ ହୋଇଥିବାରୁ ସମସ୍ତଙ୍କ ଆଖି ଏହି ଆସନ ଉପରେ ରହିଥିଲା। ହେଲେ ଶେଷରେ ପବନ ସିଂଙ୍କୁ ପରାଜୟର ସାମ୍ନା କରିବାକୁ ପଡିଥିଲା।
ସିପିଆଇର ପ୍ରାର୍ଥୀ ରାଜା ରାମ ସିଂହଙ୍କଠାରୁ ସେ ହାରିଥିଲେ ବି ଏନଡିଏ ପ୍ରାର୍ଥୀ ଉପେନ୍ଦ୍ର କୁଶୱାହଙ୍କ ଅପେକ୍ଷା ଅଧିକ ଭୋଟ୍ ପାଇଥିଲେ। କୌତୁହଳର ବିଷୟ ହେଉଛି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା କୁଶୱାହଙ୍କ ପାଇଁ ପ୍ରଚାର କରି ମଧ୍ୟ ସେ ହାରିଥିଲେ। ତେବେ ନିର୍ବାଚନରେ ହାରିଥିବା ପବନ ସିଂ ବର୍ତ୍ତମାନ ନିଜର ଦଳ ଗଠନ କରିବାକୁ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।
ଜାତୀୟ ଗଣମାଧ୍ୟମ ଅନୁଯାୟୀ, ପବନ ସିଂଙ୍କ ଦଳର ନାମ ସର୍ବ ସମାଜ ପାର୍ଟି ହେବ ଏବଂ ତାଙ୍କ ଦଳ ୨୦୨୫ ମସିହାରେ ବିହାରର ସମସ୍ତ ବିଧାନସଭା ଆସନରେ ନିର୍ବାଚନ ଲଢ଼ିବ। କେବଳ ଏତିତି ନୁହେଁ, ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ପବନ ସିଂ ଆଶୀର୍ବାଦ ଯାତ୍ରା ଆରମ୍ଭ କରିବେ ବୋଲି କୁହାଯାଉଛି।