ନୂଆଦିଲ୍ଲୀ: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ଏନ୍ସିପି ମୁଖ୍ୟ ଶରଦ ପାୱାରଙ୍କୁ ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଭେଟିଛନ୍ତି। ଆଗାମୀ ରାଷ୍ଟ୍ରପତି ନିର୍ବାଚନରେ ପାୱାର ପ୍ରାର୍ଥୀ ହେବା ସହ ଏକ ମିଳିତ ରଣନୀତି ପ୍ରସ୍ତୁତ କରିବାପାଇଁ ମମତା ପାୱାରଙ୍କୁ ଅନୁରୋଧ କରିଥିବା ବେଳେ ପାୱାର ମମତାଙ୍କ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କରିଛନ୍ତି। ରାଷ୍ଟ୍ରପତି ପ୍ରାର୍ଥୀ ହେବା ପାଇଁ ତାଙ୍କର କୌଣସି ଯୋଜନା ନାହିଁ ଏବଂ ସେ ସକ୍ରିୟ ରାଜନୀତିରେ ହିଁ ରହିବେ ବୋଲି ପାୱାର ସ୍ପଷ୍ଟ କରିଦେଇଛନ୍ତି। ତେବେ ପାୱାର ଏବଂ ମମତାଙ୍କ ମଧ୍ୟରେ ହୋଇଥିବା ବୈଠକରେ ଆଗାମୀ ରାଷ୍ଟ୍ରପତି ନିର୍ବାଚନ ନେଇ ରଣନୀତି ସଂକ୍ରାନ୍ତରେ ଆଲୋଚନା ହୋଇଛି। ପାୱାର ପ୍ରାର୍ଥୀ ହେବାକୁ ମନା କରିଦେବା ପରେ ଆଉ କିଏ ପ୍ରାର୍ଥୀ ହୋଇପାରିବେ ସେ ନେଇ ମଧ୍ୟ ମନ୍ଥନ ହୋଇଛି।
ଟିଏମ୍ସି ସୁପ୍ରିମୋ ମମତା ବାନାର୍ଜୀ ଆସନ୍ତାକାଲି ୨୨ଟି ବିରୋଧୀ ଦଳ ନେତାଙ୍କ ସହ ନୂଆଦିଲ୍ଲୀ ସ୍ଥିତ ସମ୍ବିଧାନ କ୍ଲବ୍ରେ ଏକ ବୈଠକ କରିବେ। କଂଗ୍ରେସ ସଭାପତି ସୋନିଆ ଗାନ୍ଧି, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଏବଂ ସିପିଏମ୍ ନେତା ସୀତାରାମ ୟେଚୁରୀ ପ୍ରମୁଖଙ୍କୁ ବୈଠକରେ ଯୋଗ ଦେବାପାଇଁ ଆମନ୍ତ୍ରଣ କରାଯାଇଛି। ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମ୍ଏମ) ସଭାପତି ଏବଂ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ ଆସନ୍ତାକାଲି ବୈଠକରେ ଯୋଗ ଦେବେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/06/mamata-pawar.jpg)