ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନ୍ସିପି)ର ପ୍ରତିଷ୍ଠାତା ଶରଦ ପାୱାର ଏବଂ ତାଙ୍କ ଝିଅ ତଥା ସାଂସଦ ସୁପ୍ରିୟା ସୁଲେଙ୍କ ସମେତ ପାୱାର ପରିବାରର ସଦସ୍ୟମାନେ ବୁଧବାର ପୁଣେ ଜିଲ୍ଲାର ବାରାମତୀଠାରେ ଥିବା ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଘରକୁ ଯାଇ ସେଠାରେ ଭାଉ ବିଜ ପର୍ବ ପାଳନ କରିଛନ୍ତି।
ଭାଉ ବିଜ୍ ପାଳନ ଅବସରରେ ଅଜିତ ପାୱାରଙ୍କ ପତ୍ନୀ ସୁନେତ୍ର ପାୱାର, ତାଙ୍କ ପୁଅ ପାର୍ଥ ପାୱାର ଏବଂ ଜୟ ପାୱାରଙ୍କ ସହ ପାୱାର ପରିବାରର ଅନ୍ୟ ସଦସ୍ୟମାନେ ବାରାମତୀର କାଟେୱାଡି ଅଞ୍ଚଳରେ ଥିବା ଉପମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ଏକାଠି ହୋଇଥିଲେ। ପ୍ରତିବର୍ଷ ଦୀପାବଳି ସମୟରେ ପାୱାର ପରିବାରର ସଦସ୍ୟମାନେ ଏକାଠି ହୋଇ ବାରାମତୀରେ ଭାଇ ଦୁଜ୍ ବା ଭାଉ ବିଜ୍ ପର୍ବ ପାଳନ କରିଥାନ୍ତି।
ଅଜିତ ପାୱାର ଏନସିପିରୁ ଅଲଗା ହୋଇ ବିଜେପି ଏବଂ ଏକନାଥ ସିନ୍ଦେଙ୍କ ନେତୃତ୍ୱାଧୀନ ଶିବସେନା ସହ ହାତ ମିଳାଇ ସରକାରରେ ସାମିଲ ହେବା ପରେ ଏହା ହେଉଛି ପାଓ୍ଵାର ପରିବାରର ପ୍ରଥମ ଦୀପାବଳି ଓ ଭାଉ ବିଜ୍।
ଶରଦ ପାୱାରଙ୍କ ଦ୍ୱାରା ପ୍ରତିଷ୍ଠିତ ଦଳ ଏନ୍ସିପି ଏବଂ ଏହାର ଚିହ୍ନ ପାଇଁ ଅଜିତ ପାୱାର ଏବେ ଭାରତୀୟ ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛନ୍ତି। ମଙ୍ଗଳବାର ସନ୍ଧ୍ୟାରେ ଅଜିତ ପାୱାର ଦୀପାବଳି ପର୍ବ ପାଳନ କରିବା ପାଇଁ ଶରଦ ପାୱାରଙ୍କ ଘରକୁ ଯାଇଥିଲେ।