ମୋଦୀଙ୍କୁ ଧନ୍ୟବାଦ ଜଣା‌ଇଲେ ପାୱାର

ମୁମ୍ବାଇ: ଏମ୍‌ଭିଏ (ମହା ବିକାଶ ଅଘାଡ଼ି)ର ବରିଷ୍ଠ ନେତା ଶରଦ ପାୱାର, ଉଦ୍ଧବ ଠାକରେ ଏବଂ ପୃଥ୍ବୀରାଜ ଚୌହାନ ଆଜି ମୁମ୍ବାଇରେ ଏକ ସାମ୍ବାଦିକ ସମ୍ମିଳନୀ କରି ରାଜ୍ୟବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ମହାରାଷ୍ଟ୍ରରେ ଏମ୍‌ଭିଏ ‌ମେଣ୍ଟକୁ ସମର୍ଥନ କରିଥିବାରୁ ସେମାନେ କୃତଜ୍ଞତା ଜଣାଇଛନ୍ତି। ତେବେ ଏହି ସାମ୍ବାଦିକ ସମ୍ମିଳନୀରେ ଏନସିପି (ଏସସିପି) ନେତା ଶରଦ ପାୱାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଧନ୍ୟବାଦ ଜଣାଇ କଟାକ୍ଷ କରିଛନ୍ତି। ଶରଦ କହିଛନ୍ତି, ଲୋକସଭା ନିର୍ବାଚନ ସମୟରେ ପ୍ରଧାନମନ୍ତ୍ରୀ ଯେଉଁ ସ୍ଥାନରେ ରାଲି ଏବଂ ରୋଡ୍‌ସୋ କରିଛନ୍ତି ସେଠାରେ ଏମ୍‌ଭିଏ ପାଇଁ ରାଜନୈତିକ ପରିବେଶ ଅନୁକୂଳ ହୋଇଛି। ଏଥିପାଇଁ ମୁଁ ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇବାକୁ ଚାହେ।

ଅନ୍ୟପକ୍ଷେ ଶିବସେନା (ୟୁବିଟି) ମୁଖ୍ୟ ଉଦ୍ଧବ ଠାକ୍‌ରେ ଆଜି ମହାରାଷ୍ଟ୍ର ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କର ଏକ ପୁରୁଣା ଟିପ୍ପଣୀକୁ ଆଧାର କରି କେନ୍ଦ୍ରରେ ଏନଡିଏ ସରକାରକୁ କଟାକ୍ଷ କରିଛନ୍ତି। ଠାକରେ କହିଛନ୍ତି, ଦେବେନ୍ଦ୍ର ଫଡ଼ନାବିସ ଥରେ ଏମ୍‌ଭିଏ ସରକାରକୁ ଗୋଟିଏ ରିକ୍ସାର ୩ଟି ଗୋଡ଼ ପରି କହିଥିଲେ। ଏବେ କେନ୍ଦ୍ରରେ ବିଜେପି ସରକାରର ସ୍ଥିତି ଠିକ୍‌ ସମାନ। ଉଲ୍ଲେଖଯୋଗ୍ୟ, ୨୦୨୪ ଲୋକସଭା ନିର୍ବାଚନରେ ବିଜେପିକୁ ଶକ୍ତ ଝଟ୍‌କା ମିଳିଥିବା ୩ଟି ରାଜ୍ୟ ମଧ୍ୟରୁ ଗୋଟିଏ ହେଉଛି ମହାରାଷ୍ଟ୍ର। ଶିବସେନା ଏବଂ ଏନ୍‌ସିପି ଦୁଇ ଭାଗ ହେବାପରେ ଏହା ରାଜ୍ୟରେ ପ୍ରଥମ ‌ଲୋକସଭା ନିର୍ବାଚନ ଥିଲା । ୨୦୧୯ ଲୋକସଭା ନିର୍ବାଚନରେ ବିଜେପି ମହାରାଷ୍ଟ୍ରର ୪୮ ଲୋକସଭା ଆସନରୁ ୨୩ଟିରେ ଜିତିଥିବା ବେଳେ ୨୦୨୪ରେ ବିଜେପି ମାତ୍ର ୯ଟି ଆସନରେ ଜିତିଛି।

ସମ୍ବନ୍ଧିତ ଖବର