ନୂଆଦିଲ୍ଲୀ : କରୋନା ମହାମାରୀ ବିରୋଧରେ ଲଢ଼ୁଥିବା ଆଗ ଧାଡ଼ିର ଯୋଦ୍ଧା ତଥା ଡାକ୍ତରମାନଙ୍କ ଦରମା ପ୍ରସଙ୍ଗରେ ଆଜି ସୁପ୍ରିମକୋର୍ଟ‌୍ ପୁଣିଥରେ କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି। କୋଭିଡ୍‌ ଡ୍ୟୁଟିରେ ଥିବା ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କୁ ଠିକ୍‌ ସମୟରେ ଦରମା ସୁନିଶ୍ଚିତ କରିବାପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। କେନ୍ଦ୍ର ଏନେଇ ଆବଶ୍ୟକ ନିର୍ଦ୍ଦେଶାବଳୀ ଜାରି କରନ୍ତୁ ବୋଲି କୋର୍ଟ‌୍ କହିଛନ୍ତି। ଜଷ୍ଟିସ୍‌ ଅଶୋକ ଭୂଷଣ, ଆର ସୁଭାଷ ରେଡ୍ଡି ଏବଂ ଏମ୍‌ଆର ଶାହଙ୍କ ଖଣ୍ଡପୀଠ କହିଛନ୍ତି, ଡାକ୍ତର ଏବଂ ସ୍ବାସ୍ଥ୍ୟକର୍ମୀମାନଙ୍କ ବାଧ୍ୟତାମୂଳକ କ୍ବାରାଣ୍ଟିନ୍‌ ସମୟକୁ ଛୁଟି ଭାବେ ଗଣନା କରାଯାଉଛି ଏବଂ ଏହି ସମୟରେ ସେମାନଙ୍କ ଦରମା କାଟ କରାଯାଉଛି। ଏନେଇ କେନ୍ଦ୍ରଠାରୁ କୋର୍ଟ‌୍ ସ୍ପଷ୍ଟୀକରଣ ମାଗିଛନ୍ତି। କ୍ବାରାଣ୍ଟିନ୍‌ ସମୟକୁ ଛୁଟି ଭାବେ ଗ୍ରହଣ କରାଯିବନି ବୋଲି କୋର୍ଟ‌୍ କହିଛନ୍ତି।

Advertisment

ଉଲ୍ଲେଖଯୋଗ୍ୟ, କେନ୍ଦ୍ର ସରକାର ଆଜି ସୁପ୍ରିମକୋର୍ଟ୍‌ରେ ତଥ୍ୟ ରଖି କହିଥିଲେ ଯେ, କୋର୍ଟଙ୍କ ଜୁନ୍‌ ୧୭ ତାରିଖର ରାୟ ଆଧାରରେ ଜୁନ୍‌ ୧୮ ତାରିଖରେ ସମସ୍ତ ରାଜ୍ୟମାନଙ୍କୁ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କୁ ଠିକ୍‌ ସମୟରେ ଦରମା ଦେବାପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କ ନିର୍ଦ୍ଦେଶ ଅନୁଯାୟୀ କାର୍ଯ୍ୟ କରିଛନ୍ତି। କିନ୍ତୁ ମହାରାଷ୍ଟ୍ର , ପଂଜାବ, କର୍ଣ୍ଣାଟକ ଏବଂ ତ୍ରିପୁରା ଏଯାବତ୍‌ କୋର୍ଟ‌୍‌ଙ୍କ ନିର୍ଦ୍ଦେଶକ୍ରମେ ଡାକ୍ତରମାନଙ୍କୁ ଠିକ୍‌ ସମୟରେ ଦରମା ଦେଉନାହାନ୍ତି। କେନ୍ଦ୍ର ପକ୍ଷରୁ ସଲିସିଟର ଜେନେରାଲ୍‌ ତୁଷାର ମେହଟା ଆକି କୋର୍ଟ୍‌ରେ ଏହି ତଥ୍ୟ ରଖିଥିଲେ। ତେବେ ଏହାର ଉତ୍ତରରେ କୋର୍ଟ‌୍ କହିଛନ୍ତି, ଯଦି ରାଜ୍ୟମାନେ‌ ନିର୍ଦ୍ଦେଶ ମାନୁନାହାନ୍ତି ତେବେ ଆପଣ ଅସହାୟ ନୁହନ୍ତି। ନିର୍ଦ୍ଦେଶ୍‌ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉଛି କି ନା' ତାହା ସୁନିଶ୍ଚିତ କରିବାକୁ ହେବ। କାରଣ ବିପର୍ଯ୍ୟୟ ପରିଚାଳନା ଆଇନ ଅଧୀନରେ କେନ୍ଦ୍ରକୁ ବିଶେ‌ଷ କ୍ଷମତା ମିଳିଛି। ତେଣୁ କେନ୍ଦ୍ର ସରକାର ଡାକ୍ତରମାନଙ୍କ ଦରମା ଠିକ୍ ସମୟରେ ମିଳୁଛି କି ନା' ତାହା ସୁନିଶ୍ଚିତ ହେବା ଉଚିତ୍‌। ଡାକ୍ତର ଆରୁଣି ଜୈନ୍‌ ନାମକ ଜଣେ ଡାକ୍ତରଙ୍କ ଆବେଦନର ଶୁଣାଣି କରିବା ସମୟରେ କୋର୍ଟ‌୍ ଆଜି ଏହି ନିର୍ଦ୍ଦେଶ ଦେଇଛନ୍ତି। ଡାକ୍ତରମାନଙ୍କ ପାଇଁ ୧୪ ଦିନ କ୍ବାରାଣ୍ଟିନ୍‌ ବାଧ୍ୟତାମୂଳକ ସଂକ୍ରାନ୍ତ ନିଷ୍ପତ୍ତିକୁ ପ୍ରଶ୍ନ କରି ସେ ସୁପ୍ରିମକୋର୍ଟ୍‌ରେ ଆବେଦନ କରିଥିଲେ। ଆସନ୍ତା ଅଗଷ୍ଟ ୧୦ ତା‌ରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ।