ଲୋକେ ୫୦୦ ଟଙ୍କା ଦେଇ ଏହି ଜେଲରେ ରହିବାକୁ ଯାଉଛନ୍ତି, କାରଣ ଜାଣନ୍ତୁ

ଡେରାଡୁନ : ସାଧାରଣତଃ ବିଚାରାଧୀନ କିମ୍ବା ଦଣ୍ଡ ପାଇଥିବା ଅପରାଧୀମାନଙ୍କୁ ଜେଲରେ ରଖାଯାଏ । ସାଧାରଣ ଲୋକମାନେ ସାଧାରଣତଃ ଜେଲ-ଜୀବନ ସମ୍ପର୍କରେ ଅଜ୍ଞ ଥାଆନ୍ତି । କିନ୍ତୁ ଏବେ ଆପଣ ମାତ୍ର ୫୦୦ ଟଙ୍କା ଦେଇ ଗୋଟିଏ ରାତି ଜେଲରେ କଟାଇପାରିବେ । ଏପରି ସୁବିଧା ପ୍ରଦାନ କରୁଛି ଉତ୍ତରାଖଣ୍ଡର ହଲଦ୍ବାନିରେ ଥିବା ଏକ ବ୍ରିଟିଶ ଅମଳର ଜେଲ୍ ।

୧୯୦୩ରେ ସ୍ଥାପିତ ଏହି ଜେଲର ଗୋଟିଏ ଅଂଶ ଏକ ଅସ୍ତ୍ରାଗାର ଥିଲା । ଏବେ ଏହି ଅଂଶଟି ଆଉ ବ୍ୟବହାର ହେଉନାହିଁ । ଏହାକୁ ଅତିଥି କଏଦୀମାନଙ୍କ ପାଇଁ ପ୍ରସ୍ତୁତ କରାଯାଇଛି ବୋଲି ଜେଲର ଉପ-ଅଧୀକ୍ଷକ ସତୀଶ ସୁଖିଜା କହିଛନ୍ତି ।

ସେ କହିଛନ୍ତି, ବରିଷ୍ଠ ଅଧିକାରୀମାନଙ୍କ ସୁପାରିଶରେ କେତେକ ବ୍ୟକ୍ତିଙ୍କୁ ଜେଲରେ କିଛି ଘଣ୍ଟା ଅଥବା ଗୋଟିଏ ରାତି ପାଇଁ ଜେଲର ଉକ୍ତ ଅଂଶରେ ରହିବାକୁ ଦିଆଯାଏ । ସେମାନଙ୍କୁ କଏଦୀଙ୍କ ପୋଷାକ ଓ ଜେଲ ଖାଦ୍ୟ ଦିଆଯାଏ ।

ତେବେ ଲୋକମାନେ ଜେଲରେ ରହିବାକୁ ଏତେ ଆଗ୍ରହୀ କାହିଁକି ? କିଛି ଲୋକ ଆଗ୍ରହବଶତଃ ଜେଲରେ ରହିବାକୁ ଆସନ୍ତି । ମାତ୍ର ସବୁଲୋକ କେବଳ ଆଗ୍ରହ ଦୃଷ୍ଟିରୁ ଆସନ୍ତି ନାହିଁ । କିଛି ଲୋକ ଜ୍ୟୋତିଷଙ୍କ ପରାମର୍ଶରେ ଜେଲରେ ରହିବାକୁ ଆସନ୍ତି ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ କେତେକ ନିର୍ଦ୍ଦିଷ୍ଟ ଗ୍ରହଦଶା ପଡ଼ିଲେ ଲୋକଙ୍କୁ କାରାଦଣ୍ଡ ଭୋଗ କରିବାକୁ ପଡ଼ିଥାଏ । ଏଣୁ ଲୋକମାନେ ଉକ୍ତ ଗ୍ରହଦଶାକୁ କାଟିବାକୁ ଜେଲରେ କିଛି ଘଣ୍ଟା ଅଥବା ଗୋଟିଏ ରାତି କଟାନ୍ତି । ଏପରି କଲେ ଗ୍ରହଦଶା କଟିଯିବ ବୋଲି ସେମାନଙ୍କ ବିଶ୍ବାସ ।

 

 

ସମ୍ବନ୍ଧିତ ଖବର