କୋର୍ଟରେ ପୁଣି ନିରାଶ ଚିଦମ୍ବରମ, ଅଗଷ୍ଟ ୩୦ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମାମଲାରେ ପୂର୍ବ ଅର୍ଥ ମନ୍ତ୍ରୀ ପି. ଚିଦମ୍ବରମଙ୍କୁ ଆଜି ସୁପ୍ରିମ୍‌ କୋର୍ଟ ଏବଂ ସିବିଆଇ କୋର୍ଟରୁ କୌଣସି ଆଶ୍ବସ୍ତି ମିଳିନାହିଁ। ସିବିଆଇ ମାମଲାରେ ଆଗୁଆ ଜାମିନ ପାଇଁ ସୁପ୍ରିମ୍‌ କୋର୍ଟରେ ଚିଦମ୍ବରମ କରିଥିବା ଆବେଦନକୁ ଶୁଣାଣି ପାଇଁ କୋର୍ଟ ଗ୍ରହଣ କରିନାହାନ୍ତି। ଏହି ଆବେଦନ ପ୍ରଭାବହୀନ ଏବଂ ବର୍ତ୍ତମାନ ସ୍ଥିତିରେ ଏଭଳି ଆବେଦନର କିଛି ଅର୍ଥ ନାହିଁ ବୋଲି ଦର୍ଶାଇ ସୁପ୍ରିମ୍‌ କୋର୍ଟ ଏହାକୁ ଖାରଜ କରିଛନ୍ତି। ନିୟମିତ ଜାମିନ ପାଇଁ ଉଚିତ ଅଦାଲତକୁ ଯିବାକୁ ହେବ ଏବଂ ଚିଦମ୍ବରମ ସିବିଆଇ ମାମଲାରେ ତଳ କୋର୍ଟରେ ଆବେଦନ କରିପାରିବେ ବୋଲି ସୁପ୍ରିମ୍‌ କୋର୍ଟ କହିଛନ୍ତି। ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ରୁଜୁ ହୋଇଥିବା ମନି ଲଣ୍ଡ୍ରିଂ ମାମଲାରେ ସୁପ୍ରିମ୍‌ କୋର୍ଟ ରାୟ ସଂରକ୍ଷିତ ରଖିଛନ୍ତି।

ଚିଦମ୍ବରମଙ୍କ ଓକିଲ କପିଲ ସିବଲ ଆଜି ସୁପ୍ରିମ୍‌ କୋର୍ଟରେ କହିଥିଲେ, ସିବିଆଇ ବିଗତ ୫ ଦିନ ମଧ୍ୟରେ ଚିଦମ୍ବରମଙ୍କ ବିରୋଧରେ ଅନେକ ନୂଆ ଅଭିଯୋଗ ଆଣିଛି ଏବଂ ପୂର୍ବରୁ ଏ ବିଷୟରେ ତାଙ୍କୁ କୌଣସି ସୂଚନା ଦିଆଯାଇ ନାହିଁ କି ଜେରାରେ ସେହି ପ୍ରସଙ୍ଗ ଉଠିନାହିଁ। ତାଙ୍କୁ କେବଳ ବିଦେଶୀ ବ୍ୟାଙ୍କରେ ଖାତା ଅଛି କି ନାହିଁ ସେ ସଂପର୍କରେ ପଚରା ଯାଇଥିଲା । ଏହା ସହିତ ଚିଦମ୍ବରମଙ୍କ ମାମଲାରେ ଏବେ ମିଡିଆ ଟ୍ରାଏଲ ମଧ୍ୟ ଚାଲିଛି। ତଦନ୍ତକାରୀ ସଂସ୍ଥା ମିଡିଆକୁ ତଥ୍ୟ ଲିକ୍‌ କରୁଛନ୍ତି ବୋଲି ସିବଲ କହିଥିଲେ। ତେବେ କୋର୍ଟ ସିବଲଙ୍କ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ଅନ୍ୟପକ୍ଷରେ ସିବିଆଇ ଅଦାଲତ ଆଜି ଚିଦମ୍ବରମଙ୍କ ସିବିଆଇ ରିମାଣ୍ଡ୍‌କୁ ଅଗଷ୍ଟ ୩୦ ପର୍ଯ୍ୟନ୍ତ ବଢ଼ାଇ ଦେଇଛନ୍ତି। ସିବିଆଇ ଅଦାଲତରେ ବରିଷ୍ଠ ଆଇନଜୀବୀ ଅଭିଷେକ ମନୁ ସିଂଘବୀ ଚିଦମ୍ବରମଙ୍କ ପକ୍ଷ ରଖିଥିଲେ। ଚିଦମ୍ବରମଙ୍କ ପତ୍ନୀ ନଳିନୀ ଚିଦମ୍ବରମ ଏବଂ ପୁଅ କାର୍ତ୍ତି ଚିଦମ୍ବରମ କୋର୍ଟରେ ଉପସ୍ଥିତ ଥିଲେ। ଅନ୍ୟପକ୍ଷରେ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା ଦଲିଲ ରଖିଥିଲେ।

ସମ୍ବନ୍ଧିତ ଖବର