ମେହବୁବା ମୁଫ୍‌ତିଙ୍କୁ ଭେଟିବାକୁ ପ୍ରତିନିଧି ଦଳକୁ ମିଳିଲା ଅନୁମତି, ସୋମବାର ଶ୍ରୀନଗରରେ ଭେଟିବେ

ଶ୍ରୀନଗର: ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବାର ଦୁଇ ମାସ ପରେ ପିପୁଲ୍‌ ଡେମୋକ୍ରାଟିକ୍‌ ପାର୍ଟି(ପିଡିପି) ମୁଖ୍ୟ ମେହବୁବା ମୁଫ୍‌ତିଙ୍କୁ ଭେଟିବା ପାଇଁ ପିଡିପି ପ୍ରତିନିଧି ଦଳକୁ ଅନୁମତି ମିଳିଛି। ବର୍ତ୍ତମାନ ନଜରବନ୍ଦୀରେ ଥିବା ମୁଫ୍‌ତିଙ୍କୁ ଏହି ଦଳ ସୋମବାର ଶ୍ରୀନଗରରେ ଭେଟିବେ ବୋଲି ସୂଚନା ରହିଛି। ମୁଫ୍‌ତିଙ୍କୁ ଭେଟିବା ପାଇଁ ଜମ୍ମୁ-କଶ୍ମୀର ପ୍ରଶାସନ ରବିବାର ଅନୁମତି ପ୍ରଦାନ କରିଛନ୍ତି। ଅଗଷ୍ଟ ୨୧ ତାରିଖରେ ମୁଫ୍‌ତିଙ୍କ ପରିବାରଙ୍କ ଲୋକଙ୍କୁ ମୁଫ୍‌ତି ଓ ତାଙ୍କ ବୟସ୍କା ମାଆ ଗୁଲ୍‌ସନ ମୁଫ୍‌ତିଙ୍କ ସହ ସାକ୍ଷାତ୍‌ ପାଇଁ ମନା କରାଯାଇଥିଲା।

ଉଲ୍ଲେଖଯୋଗ୍ୟ, ଗତକାଲି ରାଜ୍ୟପାଳ ସତ୍ୟ ପାଲ୍‌ ମଲ୍ଲିକଙ୍କ ଅନୁମତି ମିଳିବା ପରେ ଆଜି ନାସ୍‌ନାଲ୍‌ କନ୍‌ଫରେନ୍ସ(ଏନ୍‌ସି)ର ଏକ ୧୫ ଜଣିଆ ପ୍ରତିନିଧି ଦଳ ଅଧ୍ୟକ୍ଷ ଫାରୁକ୍‌ ଅବ୍‌ଦୁଲା ଓ ଉପାଧକ୍ଷ ଓମାର ଅବ୍‌ଦୁଲାଙ୍କୁ ଶ୍ରୀନଗରରେ ଭେଟିଛନ୍ତି। ଜମ୍ମୁ-କଶ୍ମୀରରେ ଧାରା ୩୭୦ ଉଚ୍ଛେଦ ହେବା ପରେ ପରେ ଦୁଇ ଅବ୍‌ଦୁଲା ଓ ମୁଫ୍‌ତିଙ୍କୁ ସେବେଠାରୁ ନଜରବନ୍ଦୀ କରାଯାଇ ରଖାଯାଇଛି।

ସମ୍ବନ୍ଧିତ ଖବର