କୋକ୍ରାଝର(ଆସାମ): ବୋଡୋ ଚୁକ୍ତି ସ୍ବାକ୍ଷର ହେବା ପରେ କୋକ୍ରାଝରବାସୀଙ୍କ ସହ ଖୁସି ପାଳନ କରିବା ପାଇଁ ଆଜି ଆସାମର କୋକ୍ରୋଝରରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ମୋଦୀଙ୍କ ଗସ୍ତକୁ ଆଖି ଆଗରେ ଦେଖି ବିଶାଳ ରାଲିର ଆୟୋଜନ କରାଯାଇଥିବା ବେଳେ ଲୋକମାନଙ୍କୁ ସମ୍ବୋଧନ କରି ନିଜର ଖୁସି ବ୍ୟକ୍ତ କରିଥିଲେ ପ୍ରଧାନମନ୍ତ୍ରୀ ମୋଦୀ। ସେ କହିଥିଲେ, ବୋଡୋ ଚୁକ୍ତି ସ୍ବାକ୍ଷର କରାଯିବା ଏକ ଐତିହାସିକ ଘଟଣା, ଯାହା ଏହି ଅଞ୍ଚଳରେ ବସବାସ କରୁଥିବା ବୋଡୋ ସଂପ୍ରଦାୟର ଲୋକମାନଙ୍କର ଉନ୍ନତିରେ ସାହାଯ୍ୟ କରିବ। ଏବେ ହିଂସା କମ ହେବା ସହ କାହାର ଜୀବନ ଯିବ ନାହିଁ। ପୂର୍ବରୁ କ୍ଷମତାରେ ଥିବା ସରକାର ଏହି ସମସ୍ୟାକୁ ଅଣଦେଖା କରି ଆସୁଥିବାରୁ ଏଭଳି ହିଂସା ବଢ଼ୁଥିଲା। କିନ୍ତୁ ବୋଡୋ ଚୁକ୍ତି ପରେ ଶାନ୍ତି ଏବଂ ଅହିଂସାର ବିଜୟ ହୋଇଛି।
/sambad/media/post_attachments/d63366e3708df5890b795230e450a77478baf6f8e283e0b9a483461193eb6080.jpg)
ରାଲିରେ ସାମିଲ ହୋଇଥିବା ଲୋକଙ୍କୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ ମୋଦୀ କହିଥିଲେ, ଯେଉଁମାନେ ବୋଡୋ ଚୁକ୍ତିନାମାକୁ ସଫଳ କରିବା ପାଇଁ ସାହାଯ୍ୟ କରିଛନ୍ତି, ଆଜି ସେମାନଙ୍କୁ ଧନ୍ୟବାଦ କହିବାର ଦିନ। ଆଜି ଅଲ୍ ବୋର୍ଡ ଷ୍ଟୁଡେଣ୍ଟସ୍ ୟୁନିୟନ, ନ୍ୟାସନାଲ ଡେମୋକ୍ରାଟିକ୍ ଫ୍ରଣ୍ଟ ଅଫ୍ ବୋଡୋଲାଣ୍ଡ, ବିଟିସି ଚିଫ୍ ହାଗ୍ରାମା ମୋହିଲାରୀ ଏବଂ ଆସାମ ସରକାରଙ୍କ ସହ ଜଡ଼ିତ ସବୁ ଯୁବପିଢ଼ିଙ୍କୁ ଆମେ ଧନ୍ୟବାଦ ଜଣାଇବା। କାରଣ ସେମାନଙ୍କ ପାଇଁ ଆଜି ଏହି ଚୁକ୍ତି ହୋଇ ପାରିଛି। ଏହି ଚୁକ୍ତି ହେବା ପରେ ବୋଡୋ ସଂପ୍ରଦାୟର ଲୋକମାନଙ୍କର ଉନ୍ନତି ହେବା ସହ ସେମାନେ ଖୁସିରେ ନିଜର ଜୀବନ ବଞ୍ଚି ପାରିବେ। ଏହି ଚୁକ୍ତି ସ୍ବାକ୍ଷର ହେବା ଦ୍ବାରା ଶାନ୍ତି ଓ ଅହିଂସାର ବିଜୟ ହୋଇଛି ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ। ଜାନୁଆରି ୨୭ତାରିଖରେ ମୋଦୀ ସରକାର ବୋଡୋ ଚୁକ୍ତିନାମା ସ୍ବାକ୍ଷର କରିଥିଲେ। ଆଜି ସେହି ଖୁସିକୁ ପାଳନ କରିବା ପାଇଁ କୋକ୍ରାଝରରେ ପହଞ୍ଚିଥିଲେ ମୋଦୀ।