ନୂଆଦିଲ୍ଲୀ: ଚୀନର ତିଆନଜିନ୍ ସହରରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ଶିଖର ସମ୍ମିଳନୀ ଶେଷ ହୋଇଛି। ସମ୍ମିଳନୀ ଶେଷ ହେବା ପରେ ଦୁଇ ବନ୍ଧୁ ପ୍ରଧାନମନ୍ତ୍ରୀ ନ‌ରେନ୍ଦ୍ର ମୋଦୀ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଥିଲା। ଏହି ବୈଠକ ତିଆନଜିନ୍‌ର ହୋଟେଲ ରିଟ୍ଜ କାର୍ଲଟନରେ ହୋଇଥିଲା। ଉଭୟ ନେତା ସେମାନଙ୍କ ପ୍ରତିନିଧିମଣ୍ଡଳୀ ସହିତ ପହଞ୍ଚିଥିଲେ।

Advertisment

ପ୍ରଧାନମନ୍ତ୍ରୀ ମୋଦୀ ଏବଂ ରୁଷ ରାଷ୍ଟ୍ରପତି ପୁଟିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ଏପରି ଏକ ସମୟରେ ହୋଇଛି ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ତେଲ କିଣିବା ପାଇଁ ଭାରତ ଉପରେ ଚାପ ପକାଉଛନ୍ତି। ଏଥିପାଇଁ ଭାରତ ଉପରେ ଦଣ୍ଡ ସ୍ୱରୂପ ୫୦% ଶୁଳ୍କ ମଧ୍ୟ ଲାଗୁ କରାଯାଇଛି। ତେଲ କିଣି ଭାରତ, ୟୁକ୍ରେନ ସହ ଯୁଦ୍ଧ କରିବା ପାଇଁ ରୁଷ୍‌କୁ ସାହାଯ୍ୟ କରୁଛି ବୋଲି ଆମେରିକା ଦାବି କରିଆସୁଛି। ଏମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀ ନିଜ ବନ୍ଧୁ ପୁଟିନଙ୍କୁ ଯୁଦ୍ଧ ସମାପ୍ତି ଦିଗରେ କାମ କରିବାକୁ କହିଛନ୍ତି।

ବୈଠକ ‌ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, "ଆମେ ୟୁକ୍ରେନରେ ଚାଲିଥିବା ସଂଘର୍ଷ ବିଷୟରେ ନିରନ୍ତର ଆଲୋଚନା କରିଆସୁଛୁ। ଶାନ୍ତି ପାଇଁ ସମସ୍ତ ପ୍ରୟାସକୁ ଆମେ ସ୍ୱାଗତ କରୁଛୁ। ଆଶା କରୁଛୁ ଯେ ସମସ୍ତ ପକ୍ଷ ଗଠନମୂଳକ ଭାବରେ ଆଗକୁ ବଢ଼ିବେ। ଯଥାଶୀଘ୍ର ସମ୍ଭବ ସଂଘର୍ଷର ଅନ୍ତ ଏବଂ ସ୍ଥାୟୀ ଶାନ୍ତି ପ୍ରତିଷ୍ଠା ପାଇଁ ଏକ ଉପାୟ ଖୋଜିବାକୁ ହେବ। ଯୁଦ୍ଧର ସମାପ୍ତି ଜରୁରୀ।"

ଏହା ବ୍ୟତୀତ, ପ୍ରଧାନମନ୍ତ୍ରୀ ମୋଦୀ ବଡ଼ ସମସ୍ୟା ସମୟରେ ଭାରତ-ରୁଷ ସମ୍ପର୍କରେ ଥିବା ସ୍ଥିରତାକୁ ପୁନଃ ଦୋହରାଇଥିଲେ। ସେ କହିଥିଲେ, "ଭାରତ ଏବଂ ରୁଷ ସବୁବେଳେ ସବୁଠାରୁ କଷ୍ଟକର ପରିସ୍ଥିତିରେ ମଧ୍ୟ କାନ୍ଧକୁ କାନ୍ଧ ମିଶାଇ ଠିଆ ହୋଇଛନ୍ତି। ଆମର ଘନିଷ୍ଠ ସହଯୋଗ କେବଳ ଉଭୟ ଦେଶର ଲୋକଙ୍କ ପାଇଁ ନୁହେଁ ବରଂ ବିଶ୍ୱ ଶାନ୍ତି, ସ୍ଥିରତା ଏବଂ ସମୃଦ୍ଧି ପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ମୁଁ ସବୁବେଳେ ଅନୁଭବ କରେ ଯେ, ଆପଣଙ୍କ(ପୁଟିନ୍) ସହିତ ସାକ୍ଷାତ ସବୁବେଳେ ଏକ ସ୍ମରଣୀୟ ହୋଇଥାଏ। ଆମକୁ ଅନେକ ବିଷୟରେ ସୂଚନା ଆଦାନପ୍ରଦାନ କରିବାର ସୁଯୋଗ ମିଳିଥାଏ। ଆମେ ନିରନ୍ତର ଯୋଗାଯୋଗରେ ରହିଛୁ। ନିୟମିତ ଭାବରେ ଉଭୟ ପକ୍ଷ ମଧ୍ୟରେ ଅନେକ ଉଚ୍ଚସ୍ତରୀୟ ବୈଠକ ହୋଇଛି। ଚଳିତ ବର୍ଷ ଡିସେମ୍ବରରେ ଆମର ୨୩ତମ ଶିଖର ସମ୍ମିଳନୀ ପାଇଁ ୧୪୦କୋଟି ଭାରତୀୟ ଆପଣଙ୍କ ଅପେକ୍ଷାରେ ଅଛନ୍ତି।"

pm modi | vladimir-putin