ନ୍ୟୁୟର୍କ: ମିଳିତ ଜାତିସଂଘର ୮୦ ବର୍ଷର ଇତିହାସର ସବୁଠାରୁ ଅସ୍ଥିର ମୁହୂର୍ତ୍ତରେ ସୋମବାର ବିଶ୍ୱ ନେତାମାନେ ଏକତ୍ରିତ ହେବା ଆରମ୍ଭ କରିଛନ୍ତି। ସେମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକ ମଧ୍ୟରେ ରହିଛି ଗାଜା ଓ ୟୁକ୍ରେନ ଯୁଦ୍ଧ, ବିଶ୍ୱ ପ୍ରତି ଆମେରିକାର ବଦଳୁଥିବା ଆଭିମୁଖ୍ୟ, ସବୁଆଡ଼େ ଭୋକିଲା ଲୋକ, ଜଳବାୟୁ ପରିବର୍ତ୍ତନ ଓ ଟେକ୍ନୋଲୋଜିର ବଢ଼ୁଥିବା ପ୍ରଭାବ। ରାଜନୈତିକ, ସାମାଜିକ ଓ ଆର୍ଥିକ ସମସ୍ୟାର ମୁକାବିଲା ପାଇଁ ରାଷ୍ଟ୍ରମାନେ ମିଳିତ ଭାବରେ କାର୍ଯ୍ୟ କରିବା ଲାଗି ଦ୍ୱିତୀୟ ବିଶ୍ୱଯୁଦ୍ଧ ପରେ ଗଠିତ ମିଳିତ ଜାତିସଂଘ ଏବେ ନିଜେ ସଙ୍କଟରେ ଅଛି। ସେକ୍ରେଟାରି ଜେନେରାଲ୍ ଆଣ୍ଟୋନିଓ ଗୁଟେରେସ୍ ଗତ ସପ୍ତାହରେ କହିଥିଲେ ଅଦୃଶ୍ୟ ଚାପରେ ଆମର ଆନ୍ତର୍ଜାତୀୟ ସହଯୋଗ ବାଧାପ୍ରାପ୍ତ ହେଉଛି।
ତଥାପି ମିଳିତ ଜାତିସଂଘ ସାଧାରଣ ପରିଷଦର ବାର୍ଷିକ ସମ୍ମିଳନୀ ଜାତିସଂଘର ୧୯୩ ସଦସ୍ୟ ଦେଶ ମଧ୍ୟରୁ ପ୍ରାୟ ୧୫୦ଟି ରାଷ୍ଟ୍ରର ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ ଓ ରାଜାଙ୍କୁ ଜାତିସଂଘ ମୁଖ୍ୟାଳୟକୁ ଆଣିବ। ସେକ୍ରେଟାରି ଜେନେରାଲ୍ କହିଛନ୍ତି ଯେ, ଏହା ଏକ ସୁଯୋଗ ଯାହାକୁ ହାତଛଡ଼ା କରାଯାଇପାରିବ ନାହିଁ। ଗୁଟେରେସ୍ କହିଛନ୍ତି, ଏହି ବୈଠକରେ ଆମେ ନେତା ଓ ମନ୍ତ୍ରୀମାନଙ୍କ ସହ ୧୫୦ରୁ ଅଧିକ ବ୍ୟକ୍ତିଗତ ବୈଠକରେ ପରସ୍ପର ସହ କଥାବାର୍ତ୍ତା କରିବା, ବିଭାଜନକୁ ଦୂର କରିବା, ବିପଦ ହ୍ରାସ କରିବା ଓ ସମାଧାନ ଖୋଜିବା। ଏଥି ସହ ପୃଥିବୀକୁ ବୃଦ୍ଧି ପାଉଥିବା ଉତ୍ତାପରୁ ରକ୍ଷା କରିବା, ସମସ୍ତ ଦେଶରେ ଦାରିଦ୍ର୍ୟ ଦୂର କରିବା ଏବଂ ପ୍ରତ୍ୟେକ ପିଲାଙ୍କ ପାଇଁ ଗୁଣାତ୍ମକ ଶିକ୍ଷା ସୁନିଶ୍ଚିତ କରିବା ପାଇଁ ଉପାୟ ଖୋଜିବା। କିନ୍ତୁ ଜାତିସଂଘର ପର୍ଯ୍ୟବେକ୍ଷକମାନେ କହିଛନ୍ତି ଯେ ଗାଜା, ୟୁକ୍ରେନ ଓ ସୁଦାନରେ ଅସ୍ତ୍ରବିରତିର କୌଣସି ସମ୍ଭାବନା ନ ଥିବା ଏକ ଗଭୀର ଧ୍ରୁବୀକରଣ ବିଶ୍ୱରେ ଉଚ୍ଚସ୍ତରୀୟ ବୈଠକ କୌଣସି ସୁଫଳ ଆଣିବ କି ନାହିଁ ତାହା ଏକ ବଡ଼ ପ୍ରଶ୍ନବାଚୀ।
ପ୍ରାୟ ଆଠ ଦଶନ୍ଧି ଧରି ଚାଲିଥିବା ଇସ୍ରାଏଲ-ପାଲେଷ୍ଟାଇନ ବିବାଦର ଦୁଇ ରାଷ୍ଟ୍ର ସମାଧାନ କାର୍ଯ୍ୟକାରୀ କରିବା ପାଇଁ ଫ୍ରାନ୍ସ ଓ ସାଉଦି ଆରବର ସହ-ଅଧ୍ୟକ୍ଷତାରେ ସୋମବାର ଏକ ଉଚ୍ଚସ୍ତରୀୟ ବୈଠକରେ ଆଲୋଚନା ହେବାର ଥିଲା। କିନ୍ତୁ ଟ୍ରମ୍ପ ପ୍ରଶାସନ ପାଲେଷ୍ଟାଇନ ରାଷ୍ଟ୍ରପତି ମହମ୍ମଦ ଅବ୍ବାସଙ୍କୁ ସେହି ବୈଠକ ଓ ସାଧାରଣ ସଭାରେ ଭାଷଣ ଦେବା ପାଇଁ ଆମେରିକାର ଭିସା ଦେବାକୁ ମନା କରିଦେଇଥିଲା। ଶୁକ୍ରବାର ସାଧାରଣ ସଭା ବହୁମତ ସହିତ ଏକ ସଂକଳ୍ପ ଗ୍ରହଣ କରିଥିଲା ଯାହା ଅବ୍ବାସଙ୍କୁ ଭିଡିଓ ମାଧ୍ୟମରେ କହିବାକୁ ସକ୍ଷମ କରିଥିଲା, ଯେପରି ୨୦୨୨ରେ ରୁଷ୍ର ଆକ୍ରମଣ ପରେ ୟୁକ୍ରେନର ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କିଙ୍କ ପାଇଁ କରାଯାଇଥିଲା। ଚଳିତ ବର୍ଷ ଜେଲେନସ୍କି ବ୍ୟକ୍ତିଗତ ଭାବରେ ଯୋଗଦେବେ ଏବଂ ମଙ୍ଗଳବାର ୟୁକ୍ରେନ ଉପରେ ସୁରକ୍ଷା ପରିଷଦ ବୈଠକ କରିବ ବୋଲି ଆଶା କରାଯାଉଛି। ଏହି ମାସ ଆରମ୍ଭରେ ଦୁଇ ରାଷ୍ଟ୍ର ସମାଧାନକୁ ସମର୍ଥନ କରିବା ଓ ଇସ୍ରାଏଲକୁ ପାଲେଷ୍ଟାଇନ ରାଷ୍ଟ୍ର ପାଇଁ ପ୍ରତିଶ୍ରୁତିବଦ୍ଧ କରିବାକୁ ଅନୁରୋଧ କରିବା ଲାଗି ବହୁମତ ମିଳିଥିଲା। କିନ୍ତୁ ସେହି ଭୋଟ୍ର କିଛି ଘଣ୍ଟା ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ କହିଥିଲେ ଯେ, କୌଣସି ପାଲେଷ୍ଟାଇନ ରାଷ୍ଟ୍ର ରହିବ ନାହିଁ। ଚଳିତ ସପ୍ତାହରେ ଗାଜା ଉପରେ ଏକ ସୁରକ୍ଷା ପରିଷଦ ବୈଠକ ମଧ୍ୟ ଦେଖିବାକୁ ମିଳିବ ବୋଲି ଆଶା କରାଯାଉଛି, ସମ୍ଭବତଃ ମଙ୍ଗଳବାର ଅପରାହ୍ଣରେ। ଚଳିତ ସପ୍ତାହରେ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ମଧ୍ୟ ଅନେକ ବୈଠକ ମଧ୍ୟ ଦେଖିବାକୁ ମିଳିବ।
ଯୁଦ୍ଧ ଘନଘଟା ଭିତରେ ଜାତିସଂଘରେ ଶାନ୍ତି ଆଲୋଚନା
ମିଳିତ ଜାତିସଂଘର ୮୦ ବର୍ଷର ଇତିହାସର ସବୁଠାରୁ ଅସ୍ଥିର ମୁହୂର୍ତ୍ତରେ ସୋମବାର ବିଶ୍ୱ ନେତାମାନେ ଏକତ୍ରିତ ହେବା ଆରମ୍ଭ କରିଛନ୍ତି। ସେମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକ...
/sambad/media/media_files/2025/09/23/untitled-12-2025-09-23-07-43-33.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)