ମଣିପୁରରେ ଶାନ୍ତି ଆଲୋଚନା ବିଫଳ: ହିଂସାରେ ପୁଣି ୩ ମୃତ

ବିଜେପି ବିଧାୟକଙ୍କ ଘରେ ଗ୍ରେନେଡ ମାଡ଼, ୧୦୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି

ଇମ୍ଫାଲ: ମଣିପୁରରେ ହିଂସା ଥମୁନି। କୁକି ଓ ମୈତେଇ ସମ୍ପ୍ରଦାୟ ମଧ୍ୟରେ ଶାନ୍ତି ସ୍ଥାପନା ପାଇଁ ଚାଲିଥିବା କଥାବାର୍ତ୍ତା ବିଫଳ ହୋଇଛି। ହିଂସା ଯୋଗୁଁ ମଣିପୁରରେ ପୁଣି ୩ ଜଣଙ୍କ ମୃତ୍ୟୁ ହୋଇଛି। ଏଥିସହ ରାଜ୍ୟରେ ‌ମୋଟ ୧୦୫ ଜଣ ଲୋକଙ୍କର ମୃତ୍ୟୁ ହେଲାଣି ଏବଂ ୪୦ ହଜାର ଲୋକଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି। ହିଂସାପ୍ରବଣ ମଣିପୁରର ଏକ କୁକି ଆଦିବାସୀ ବହୁଳ ଗାଁରେ ଆଜି ସଦ୍ୟ ହିଂସା ଉପୁଜି ୩ ଜଣଙ୍କ ମୃତ୍ୟୁ ହୋଇଛି ଏବଂ ଜଣେ ଆହତ ହୋଇଛନ୍ତି। ଜଣେ ପୁଲିସ ଅଧିକାରୀଙ୍କ ସୂଚନା ଅନୁଯାୟୀ ୨ଜଣଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣଙ୍କର ହସ୍ପିଟାଲରେ ମୃତ୍ୟୁ ହୋଇଛି। ଗତକାଲି ବିଳମ୍ବିତ ରାତିରେ ମଧ୍ୟ ୨ ଜଣ ଆକ୍ରମଣକାରୀ ବିଜେପି ବିଧାୟକ ଏସ୍‌ କେବିଙ୍କ ବାସଭବନ ଉପରକୁ ଗ୍ରେନେଡ୍‌ ମାଡ଼ କରିଛନ୍ତି।

ହିଂସାରେ ପୁଣି ୩ ମୃତ
ବିଜେପି ବିଧାୟକଙ୍କ ଘରେ ଗ୍ରେନେଡ ମାଡ଼
୧୦୫ରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି
ହିଂସା ଘଟଣାରେ ୬ ଏତଲା ରୁଜୁ କଲା ସିବିଆଇ

ବିଧାୟକଙ୍କ ଘରର ସମ୍ମୁଖ ଭାଗ ବିସ୍ଫୋରଣରେ କ୍ଷତିଗ୍ରସ୍ତ ହୋଇଛି। କିନ୍ତୁ ଉକ୍ତ ଘଟଣାରେ କେହି ମୃତାହତ ହୋଇନାହାନ୍ତି। ଇତିମଧ୍ୟରେ କେନ୍ଦ୍ରୀୟ ତଦନ୍ତକାରୀ ବ୍ୟୁରୋ (ସିବିଆଇ) ମଣିପୁର ହିଂସା ଘଟଣାରେ ୬ଟି ଏତଲା ରୁଜୁ କରିଛି ଏବଂ ମାମଲାର ତଦନ୍ତ ପାଇଁ ଏକ ଏସ୍‌ଆଇଟି (ସ୍ବତନ୍ତ୍ର ତଦନ୍ତକାରୀ ଦଳ) ଗଠନ କରିଛି। ମଣିପୁର ହିଂସା ପଛରେ କିଛି ଷଡ଼ଯନ୍ତ୍ର ଥିବା ଅଭିଯୋଗ ସହ ମୋଟ୍‌ ୬ଟି ମାମଲାର ସିବିଆଇ ତଦନ୍ତ ହେବ। ଏହି ୬ଟି ମାମଲାରେ ସିବିଆଇ ଏତଲା ରୁଜୁ କରିଛି। ଉଲ୍ଲେଖ‌ଯୋଗ୍ୟ, ଗତ ମାସରେ ମଣିପୁରରେ ହିଂସା ହେବା ପରଠାରୁ ଏଯାବତ ୩୭୦୦ରୁ ଅଧିକ ଏତଲା ରୁଜୁ ହୋଇଛି। ଇମ୍ଫାଲ ପଶ୍ଚିମ ଜିଲ୍ଲାରେ ସର୍ବାଧିକ ମାମଲା ରୁଜୁ ହୋଇଛି। ମଣିପୁରରେ ଶାନ୍ତି ଫେରାଇ ଆଣିବାପାଇଁ ଯଥାସମ୍ଭବ ଉଦ୍ୟମ ଜାରି ରହିଛି। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ନାଗା ବିଧାୟକମାନଙ୍କ ସହ ବୈଠକ କରିଛନ୍ତି। କୁକି ଏବଂ ମୈତେଇ ସମ୍ପ୍ରଦାୟ ମଧ୍ୟରେ ତୁରନ୍ତ ବୁଝାମଣା ପାଇଁ ପଦକ୍ଷେପ ନେବାକୁ ଶାହ ନାଗା ବିଧାୟକମାନଙ୍କୁ କହିଛନ୍ତି। ତେବେ ସେମାନଙ୍କ ମଧ୍ୟରେ ତୀବ୍ର ମତାନ୍ତର ଦେଖିବାକୁ ମିଳିଛି।

ସମ୍ବନ୍ଧିତ ଖବର